ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ,୧୭।୩: ଭିଜିଲାନ୍ସ ଜାଲରେ ଫସିଛନ୍ତି ବାଲେଶ୍ୱର ଜିଲା ସୋରୋ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଦ ବେହୁରିଆ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ତାଙ୍କ ଘର, ଅଫିସ, ଶ୍ୱଶୁର ଘର ସମେତ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ଟିମ୍। ଭଦ୍ରକ ସହର ଉପକଣ୍ଠ ବାଗୁରାଇରେ ଥିବା ଘର, ଅର୍ନପାଳରେ ଥିବା ପୈତୃକ ଘର, ମାର୍କେଟ କମ୍ପ୍ଲେକ୍ସ, ବାସୁଦେବପୁରରେ ଥିବା ଶ୍ୱଶୁର ଘରେ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିଛି। ବାଲେଶ୍ୱର ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝରର ଭିଜିଲାନ୍ସ ଟିମ୍ ଏକକାଳୀନ ୫ ଟି ସ୍ଥାନରେ ଚଢ଼ାଉ ଜାରି କରିଥିବା ସୂଚନା ମିଳିଛି। ଏହି ଟିମ୍ରେ ଜଣେ ଅତିରିକ୍ତ ଏସ୍ପି, ୪ ଜଣ ଡିଏସ୍ପି ଓ ୪ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ।