Categories: ଖେଳ

ପ୍ରମୋଦଙ୍କୁ ୨ ସ୍ବର୍ଣ୍ଣ, ୧ ବ୍ରୋଞ୍ଜ

ଭୁବନେଶ୍ୱର, ୨୪।୫(କ୍ରୀଡ଼ା ପ୍ରତିନିଧି): ବାହାରିନ୍‌ର ମାନାମାଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଶାର ପ୍ରମୋଦ ଭଗତ ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ବ୍ୟତୀତ ମିକ୍ସଡ ଡବଲ୍ସରେ ତାଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ମଙ୍ଗଳବାର ଅନୁଷ୍ଠିତ ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ନିଜ ଦେଶର ନିତେଶ କୁମାରଙ୍କୁ ୨୧-୧୬, ୨୧-୧୭ରେ ପରାସ୍ତ କରିଛନ୍ତି। ସେହିପରି ସୁକାନ୍ତ କଦମଙ୍କୁ ସାଥିକରି ସେ ଡବଲ୍ସ ଫାଇନାଲରେ ନିତେଶ କୁମାର ଓ ତରୁଣ ଯୋଡ଼ିଙ୍କୁ ୨୨-୨୪, ୨୧-୯ ଓ ୨୧-୧୪ରେ ହରାଇ ଦେଇଛନ୍ତି। ପ୍ରଥମ ସେଟ୍‌ରେ ପ୍ରମୋଦ-ସୁକାନ୍ତ ଯୋଡ଼ି ପରାଜିତ ହୋଇଥିଲେ ହେଁ ଦ୍ୱିତୀୟ ସେଟ୍‌ରେ ସହଜ ବିଜୟ ସହ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ମିକ୍ସଡ ଡବଲ୍ସ ସେମିଫାଇନାଲରେ ପରାଜିତ ହୋଇଥିବାରୁ ପ୍ରମୋଦ ଓ ମନୀଷା ରାମଦାସ ଯୋଡ଼ି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେହିପରି ଅନ୍ୟତମ ଓଡ଼ିଆ ଖେଳାଳି ଦୀପ୍‌ ରଞ୍ଜନ ବିଷୋୟୀ ଡବଲ୍ସରେ ମନୋଜ ସରକାରଙ୍କୁ ସାଥିକରି ବ୍ରୋଞ୍ଜ ପଦକ ପାଇଛନ୍ତି। ଏହି ଯୋଡ଼ି ସେମିଫାଇନାଲରେ ପ୍ରମୋଦ-ସୁକାନ୍ତଙ୍କ ନିକଟରୁ ହାରି ଯାଇଥିଲେ। ଓଡ଼ିଶା ଖେଳାଳିଙ୍କ ସହ କୋଚ୍‌ ଶିବ ପ୍ରସାଦ ଦାସ ବାହାରିନ ଯାତ୍ରା କରିଥିଲେ।

Share