Categories: ଖେଳ

ପ୍ରମୋଦ-ସୁକାନ୍ତ ନମ୍ବରଓ୍ବାନ୍‌

ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ଭାରତୀୟ ଯୋଡ଼ି ପ୍ରମୋଦ ଭଗତ ଓ ସୁକାନ୍ତ କଦମ ପାରା ବ୍ୟାଡ୍‌ମିଣ୍ଟନ ପୁରୁଷ ଡବଲ୍ସରେ ବିଶ୍ୱର ନମ୍ବରଓ୍ବାନ ହୋଇଛନ୍ତି। ବୁଧବାର ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ ପକ୍ଷରୁ ଏହା ଘୋଷଣା କରାଯାଇଛି। ବ୍ରାଜିଲରେ ନିକଟରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ପୁରୁଷ ଡବଲ୍ସରେ ଦୁହେଁ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଏସ୍‌ଏଲ୍‌ ୩- ଏସ୍‌ଏଲ୍‌ ୪ ବର୍ଗରେ ପ୍ରମୋଦ ଓ ସୁକାନ୍ତ ଗତ ୮ ମାସଧରି ସାଥିହୋଇ ଖେଳି ୩ଟି ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଦୁହେଁ ୨୦୨୨ ଥାଇଲାଣ୍ଡ, ୨୦୨୩ ସ୍ପାନିଶ୍‌ ଓ ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛନ୍ତି। ଏଥିରେ ସ୍ବାଭାବିକ ଭାବେ ଖୁସି ପ୍ରକାଶ କରିଛନ୍ତି ଓଡ଼ିଶାର ପ୍ରମୋଦ। ”ମୁଁ ପୁଣିଥରେ ବିଶ୍ୱର ନମ୍ବରଓ୍ବାନ ହୋଇପାରିଥିବାରୁ ଅତ୍ୟନ୍ତ ଆନନ୍ଦିତ। ମୁଁ ଓ ସୁକାନ୍ତ କଠିନ ପରିଶ୍ରମ କରି ଆଜି ଏଠାରେ ପହଞ୍ଚତ୍ ପାରିଛୁ। ଏହା ଆରମ୍ଭ ମାତ୍ର। ଆମେ ଦୁହେଁ ଅଧିକରୁ ଅଧିକ ସଫଳତା ହାସଲ କରି ଭାରତକୁ ଗର୍ବିତ କରିବାକୁ ଚେଷ୍ଟା କରିବୁ“ ବୋଲି ପଦ୍ମଶ୍ରୀ ଓ ଖେଳରନତ୍ ପୁରସ୍କାରପ୍ରାପ୍ତ ପ୍ରମୋଦ ପ୍ରକାଶ କରିଛନ୍ତି। ସୁକାନ୍ତ କହିଛନ୍ତି ଯେ, ”ପରିଶ୍ରମର ଫଳ ମିଳିଛି। ଏହି ଫର୍ମ ଜାରିରଖି ଆଗକୁଥିବା ଟୁର୍ନାମେଣ୍ଟଗୁଡ଼ିକରେ ସଫଳତା ହାସଲ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ବିଶ୍ୱର ନମ୍ବର ଓ୍ବାନ ହେବା ଆମକୁ ଅଧିକ କଠିନ ପରିଶ୍ରମ କରିବାକୁ ପ୍ରୋତ୍ସାହିତ କରିଛି। କେତେକ କ୍ଷେତ୍ରରେ ତ୍ରୁଟି ରହିଛି। ଆମେ ତାହାକୁ ସୁଧାରିବା ଉପରେ ଫୋକସ କରୁଛୁ“। ପ୍ରମୋଦ ଓ ସୁକାନ୍ତ ଆଗାମୀ ଦିନରେ ହେବାକୁଥିବା ଥାଇଲାଣ୍ଡ ଓ ବାହାରିନ ପାରା ବ୍ୟାଡ୍‌ମିଣ୍ଟନ ଆଦି ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।

Share