ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାଇଁ ଏହି ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ

ଢାକା,୧।୯:ଭାରତ ରତ୍ନ ଏବଂ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ପରେ ଦେଶରେ ୭ ଦିନିଆ ଶୋକ ଘୋଷଣା କରାଯାଇଛି। ମଙ୍ଗଳବାର ଦିନ ଦିଲ୍ଲୀରେ ତାଙ୍କର ଶେଷ ରୀତିନୀତି ଅନୁଷ୍ଠିତ ହେବ। ପଡୋଶୀ ଦେଶ ବାଂଲାଦେଶ ମଧ୍ୟ ତାଙ୍କ ମୃତ୍ୟୁକୁ ନେଇ ଜାତୀୟ ଶୋକ ଘୋଷଣା କରିଛି। ପ୍ରଣବ ମୁଖାର୍ଜୀଙ୍କ ସମ୍ମାନାର୍ଥେ ବୁଧବାର ଦିନ ବାଂଲାଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପତାକା ଅର୍ଦ୍ଧନୀମିତ କରାଯିବ। ଦୀର୍ଘ ଦିନର ଅସୁସ୍ଥତା ପରେ ସୋମବାର ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା। ସେ ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ପ୍ରଣବ ମୁଖାର୍ଜୀ ଦେଶର ୧୩ତମ ରାଷ୍ଟ୍ରପତି ଥିଲେ ଏବଂ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କର କରୋନା ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିଲା।

Share