ସତ ହୋଇଥିଲା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୩।୮: ଭାରତୀୟ ରାଜନୀତିରେ ଏମିତି କେତେଜଣ ରାଜନେତା ରହିଛନ୍ତି ଯେଉଁମାନେ କାଳ କାଳ ଧରି ଅମର ହୋଇ ରହିବେ। ଏମାନଙ୍କ ମଧ୍ୟରୁ ଜଣେ ହେଲେ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଭାରତର ୧୩ତମ ରାଷ୍ଟ୍ରପତି ତଥା ଭାରତ ରତ୍ନ ସମ୍ମାନରେ ସମ୍ମାନୀତ ହୋଇଥିବା ମୁଖାର୍ଜୀ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ସୃଷ୍ଟି କରିଛନ୍ତି ନିଜର ଭିନ୍ନ ପରିଚୟ। ସେ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ। ୨୦୧୨ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଶାସନକାଳରେ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିଲେ ମୁଖାର୍ଜୀ। କୁହାଯାଏ ଯେତେବେଳେ ମୁଖାର୍ଜୀ ପ୍ରଥମେ ଏମ୍‌ପି ଆସନରେ ବସିଥିଲେ ସେତେବେଳେ ସେ ଥରେ ତାଙ୍କ ଭଉଣୀ ଅନ୍ନପୂର୍ଣ୍ଣା ଦେବୀଙ୍କ ସହ କଥା ହୋଇଥିଲେ। ସେହି ସମୟରେ ସେ ତାଙ୍କ ଭଉଣୀଙ୍କୁ କହିଥିଲେ କି ଆରଜନ୍ମରେ ସେ ରାଷ୍ଟ୍ରପତି ଭବନରେ ବନ୍ଧା ହୋଇଥିବା ଘୋଡ଼ା ଭାବେ ଜନ୍ମ ହେବାକୁ ଚାହୁଁଛନ୍ତି। ଏହାଶୁଣି ତାଙ୍କ ଭଉଣୀ ଅନ୍ନପୂର୍ଣ୍ଣା ଦେବୀ ଆଶ୍ଚର୍ଯ୍ୟ ହୋଇ ନ ଥିଲେ ବରଂ କହିଥିଲେ ଆରଜନ୍ମ କାହିଁକି ଏହି ଜନ୍ମରେ ତୁମେ ରାଷ୍ଟ୍ରପତି ହେବ। ଆଉ ୨୦୧୨ରେ ହିଁ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିଲେ। ୨୦୦୪ ପ୍ରଧାନମନ୍ତ୍ରୀ ଦୌଡ଼ରେ ମଧ୍ୟ ପ୍ରଣବଙ୍କ ନାଁ ସାମିଲ ଥିଲା। ନିର୍ବାଚନ ସରିବା ପରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବାନେଇ ଆଲୋଚନା ଚାଲୁଥିବା ବେଳେ ଏହି ଦୌଡ଼ରେ କିନ୍ତୁ ସାମିଲ ଥିଲେ ଡା. ମନମୋହନ ସିଂ, ଅର୍ଜୁନ ସିଂ ଓ ପ୍ରଣବ ମୁଖାର୍ଜୀ। କିନ୍ତୁ ବାଜି ମାରିଥିଲେ ମନମୋହନ ସିଂ। ଦୀର୍ଘ ୧୦ ବର୍ଷ କାଳ ସେ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ।

Share