ଓସିଏ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ପ୍ରଣବ ପ୍ରକାଶ ଦାସ

କଟକ ଅଫିସ, ୨୨ା୧୦: ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ୨୮ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନେଇ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଶୁକ୍ରବାର ଏଥିପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ତେବେ ଓସିଏ ସଭାପତି ସହ ସମସ୍ତ ପଦ ପାଇଁ ଜଣେ ଲେଖାଏ ପ୍ରାର୍ଥୀ ଥିବାରୁ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପ୍ରଣବ ପ୍ରକାଶ ପ୍ରଥମ ଥର ପାଇଁ ସଭାପତି ହୋଇଥିବାବେଳେ ସମ୍ପାଦକ ପଦ ବଜାୟ ରଖିଛନ୍ତି ସଞ୍ଜୟ ବେହେରା। ପୂର୍ବରୁ ସଭାପତି ଥିବା ପଙ୍କଜ ଲୋଚନ ମହାନ୍ତି ଉପସଭାପତି ହୋଇଛନ୍ତି। ବିକାଶ ପ୍ରଧାନ କୋଷାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ଏବଂ ସହସମ୍ପାଦକ ପ୍ରଭାତ ଭୋଳ ଓ ଆପେକ୍ସ କାଉନସିଲ ସଦସ୍ୟ ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୨୮ ତାରିଖରେ ବିଧିବଦ୍ଧ ଭାବେ ନିର୍ବାଚିତ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯିବ। ସୂଚନାଯୋଗ୍ୟ ଅକ୍ଟୋବର ୧୪ରେ ଓଡ଼ିଶା କ୍ରିକେଟ ଆସୋସିଏଶନ ନିର୍ବାଚନ ନେଇ ପୁରୀରେ ଅନୁଷ୍ଠିତ ବୈଠକରେ ଯାଜପୁରର ବିଧାୟକ ତଥା ବିଜେଡିର ସାଙ୍ଗଠିନକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓଡ଼ିଶା କ୍ରିକେଟ ଆସୋସିଏଶନର ସଭାପତି ପଦ ପାଇଁ ସର୍ବସମ୍ମତ ପ୍ରାର୍ଥୀ ହୋଇଥିଲେ। ପ୍ରଣବଙ୍କୁ ଓସିଏ ସଭାପତି କରିବାକୁ ବିଭିନ୍ନ ଜିଲା କ୍ରିକେଟ ଆସୋସିଏଶନର ସଦସ୍ୟମାନେ ମତ ଜଣାଇଥିଲେ। ନିର୍ବାଚନ ପାଇଁ ୨୧ରେ ନାମାଙ୍କନ ଦାଖଲ, ୨୨ରେ ଯାଞ୍ଚ ଓ ଅଭିଯୋଗ ଗ୍ରହଣ କରାଯିବା ସହିତ ନାମ ପ୍ରକାଶ ଏବଂ ୨୩ ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ସହ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବାର କାର୍ଯ୍ୟକ୍ରମ ରହିଥିଲା। ୨୮ତାରିଖରେ ନିର୍ବାଚନ ହେବାର ଥିଲା। ମାତ୍ର ସମସ୍ତ ପଦ ପାଇଁ ଜଣେ ଲେଖାଏ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ଆଉ ନିର୍ବାଚନ ହେବ ନାହିଁ।

Share