Advertisement

ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ ସର୍ଭେ: ପ୍ରଣବ, ତାରା ଶ୍ରେଷ୍ଠ ବିଧାୟକ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ‘ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ’ ପକ୍ଷରୁ ୨୦୨୦ ବର୍ଷ ପାଇଁ ଶ୍ରେଷ୍ଠ ବିଧାୟକ ଭାବେ ମନୋନୀତ କରାଯାଇଛି। ପ୍ରଣବଙ୍କୁ ଭଲ ଉଦ୍ଦେଶ୍ୟ (ଇଣ୍ଟେଣ୍ଟ) ବର୍ଗରେ ଚୟନ କରାଯାଇଥିବାବେଳେ ବାହିନୀପତିଙ୍କୁ ଜନସମ୍ପର୍କ ଦକ୍ଷତା କ୍ଷେତ୍ରରେ ମନୋନୀତ କରାଯାଇଛି। ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ ପତ୍ରିକା ପକ୍ଷରୁ ଦେଶର ୫୦ ଶ୍ରେଷ୍ଠ ବିଧାୟକଙ୍କୁ ନେଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି।
ପ୍ରାଥମିକ ପ୍ରକ୍ରିୟାରେ ଅନ୍‌ଲାଇନ ସର୍ଭେ କରାଯାଇ ବିଭିନ୍ନ ରାଜ୍ୟର ୧୫ଶହ ବିଧାୟକଙ୍କୁ ମନୋନୀତ କରାଯାଇଥିଲା। ପରେ ବିଭିନ୍ନ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇ ୧୫୦ ଜଣ ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କୁ ଶ୍ରେଷ୍ଠ ବିଧାୟକ ରୂପେ ମନୋନୀତ କରାଯାଇଛି। ଆସନ୍ତା ଜାନୁୟାରୀରେ ଉଭୟ ପ୍ରଣବ ଓ ବାହିନୀପତିଙ୍କୁ ସମ୍ମାନିତ କରାଯିବ। ସୂଚନାଯୋଗ୍ୟ, ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ ପକ୍ଷରୁ ବିଧାୟକଙ୍କ ଲୋକପ୍ରିୟତା, କାର୍ଯ୍ୟଶୈଳୀ, ଜନସମ୍ପର୍କ, ଲୋକଙ୍କ ସ୍ବାର୍ଥ, ବିଧାନସଭାରେ ପ୍ରଶ୍ନ ଉତ୍ତର, ନିବାଚନମଣ୍ଡଳୀରେ କାର୍ଯ୍ୟଦକ୍ଷତା, ବିଧାୟକ ପାଣ୍ଠିର ଉପଯୋଗକୁ ତର୍ଯମା କରାଯାଇ ଶ୍ରେଷ୍ଠ ବିଧାୟକଙ୍କ ନାମ ଚୟନ କରାଯାଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share