Advertisement

ଏକ୍ସରେ ଧର୍ମେନ୍ଦ୍ରଙ୍କୁ ବଡ଼ କଥା କହିଦେଲେ ପ୍ରଣବ, ଲେଖିଲେ ଏମିତି…

ଭୁବନେଶ୍ୱର,୧।୬: ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍‌ କଲେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ଟୁଇଟ୍‌ କରି ପ୍ରଣବ ପ୍ରକାଶ କହିଛନ୍ତି, ଧମେନ୍ଦ୍ର ପ୍ରଧାନ ଜାଣିସାରିଲେଣି ତିନି ଚତୁର୍ଥାଂଶ ସଂଖ୍ୟା ଗରିଷ୍ଠତା ସହ ବିଜେଡି ନିର୍ବାଚନ ଜିତୁଛି, ସେଥିପାଇଁ ତାଙ୍କ ମୁଣ୍ଡ କାମ କରୁନି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ଭାଷା ପ୍ରୟୋଗ, ଅପମାନସୂଚକ ମନ୍ତବ୍ୟ ଦେବା ପରେ ଶେଷରେ ମଞ୍ଚ ଉପରୁ ନିଜ ଭାଷଣରେ ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ଧମକ ଦେବାକୁ ମଧ୍ୟ ପଛାଇ ନ ଥିଲେ।

ଆଉ ଏବେ ଶେଷରେ ଟଙ୍କା ବାଣ୍ଟିବାର ଅଭିଯୋଗ ଆଣୁଛନ୍ତି। ଏଥିରୁ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି ସେ ଭାରି ହତାଶା ଓ ନିରାଶା ମଧ୍ୟରେ ଅଛନ୍ତି। କାରଣ ଓଡ଼ିଶା ଭାଜପା ଏହି ନିର୍ବାଚନ ବହୁତ ଖରାପ ଭାବେ ହାରୁଛି।

ଅନ୍ୟପଟେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଟଙ୍କା ବଣ୍ଟାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ଧର୍ମେନ୍ଦ୍ର ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟକରି ସେଥିରେ ଉଲ୍ଲେଖ କରିଛନ୍ତି, ଭୋଟରଙ୍କ ପାଖରେ ଟଙ୍କା ପହଞ୍ଚାଇବା ଲାଗି ସରକାରୀ କର୍ମଚାରୀମାନେ ସାମିଲ ହୋଇଥିବା ଖବର ଆସିଛି। ନିଜକୁ ୧ ନମ୍ବର ମୁଖ୍ୟମନ୍ତ୍ରୀ ବୋଲାଉଥିବା ନେତା ଏଭଳି ଅଗଣତାନ୍ତ୍ରିକ ଏବଂ ବେଆଇନ ଭାବେ ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି। ଭାରତ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share