Categories: ଜାତୀୟ

ବାବ୍ରି ମସଜିଦ ତାଲା ଖୋଲିବା ନେଇ ରାଜୀବଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ପ୍ରଣବ: ପ୍ରକାଶ କଲେ ଝିଅ ଶର୍ମିଷ୍ଠା…

ଲକ୍ଷ୍ନୌ,୨୦।୧୨ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ୧୯୮୬ ମସିହାରେ ତାଙ୍କ ପିତା ପ୍ରଣବ ମୁଖାର୍ଜୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅଯୋଧ୍ୟାରେ ବାବ୍ରି ମସଜିଦ ତାଲା ଖୋଲିବାକୁ ଅନୁମତି ଦେବା ନେଇ ଅସନ୍ତୁଷ୍ଟ ହୋଇଥିଲେ। ସେ କହିଥିଲେ ଏହା କଂଗ୍ରେସର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବ ଏବଂ ଶାସନରେ ଧର୍ମ ଓ ଭୋଟ ବ୍ୟାଙ୍କ ରାଜନୀତିର ମିଶ୍ରଣର ଏକ ଖରାପ ଉଦାହରଣ ମଧ୍ୟ ସୃଷ୍ଟି କରିବ।

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଗୋମତିନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସର ପୂର୍ବତନ ମୁଖପାତ୍ର ଶର୍ମିଷ୍ଠା ମୁଖାର୍ଜୀ କହିଛନ୍ତି  ରାଜୀବ ଗାନ୍ଧୀ ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ କମଲାପତି ତ୍ରିପାଠୀଙ୍କ ଚିଠିକୁ ଅଣଦେଖା କରିଥିଲେ। ଚିଠିରେ ବିବାଦୀୟ ନିର୍ମାଣର ତାଲା ଖୋଲିବାକୁ ମନା କରାଯାଇଥିଲା। ମାତ୍ର ରାଜୀବ ଏହାକୁ ମାନି ନ ଥିଲେ। ତେବେ ରାଜୀବଙ୍କ କାର୍ଯ୍ୟକୁ ତାଙ୍କ ପିତା ପ୍ରଣବ ପସନ୍ଦ କରି ନ ଥିଲେ।

ପ୍ରଣବ ମୁଖାର୍ଜୀ ମସଜିଦ ଭାଙ୍ଗିବା କାରଣରୁ ଭବିଷ୍ୟତରେ କଂଗ୍ରେସକୁ ହିନ୍ଦୀ ବେଲ୍ଟରେ ବହୁ କ୍ଷତି ସହିବାକୁ ପଡିବ। ସେ ଏହି ଘଟଣାରେ ବହୁତ ବିରକ୍ତ ହୋଇଥିଲେ। କଂଗ୍ରେସର ପୂର୍ବତନ ମୁଖପାତ୍ର କହିଛନ୍ତି ତାଙ୍କ ପିତାଙ୍କ ଦ୍ୱାରା ଲେଖାଯାଇଥିବା ଡାଏରୀରେ ଗତ ୫୦ ବର୍ଷ ମଧ୍ୟରେ ଭାରତୀୟ ରାଜନୀତି ବିଷୟରେ ବିସ୍ତୃତ ଦୃଶ୍ୟ ରହିଛି। ସେ ଏ ବିଷୟରେ ‘ପ୍ରଣବ ମାଇଁ ଫାଦର’ ନାମକ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି।

ଶର୍ମିଷ୍ଠା କହିଛନ୍ତି ତାଙ୍କ ପିତା ମଧ୍ୟ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା କରିଥିଲେ। ସେ ଜାଣିଥିଲେ ଏହାର ସମ୍ଭାବନା ବହୁତ କମ। ସେ ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲେ ଏବଂ ତାଙ୍କର ଦୁର୍ବଳତା ବିିଷୟରେ ସେ ଜାଣିଥିଲେ।

ପରିସ୍ଥିତି ଆଧାରରେ ତାଙ୍କ ପିତା ଜରୁରୀକାଳୀନ ପରିସ୍ଥିତିକୁ ସମର୍ଥନ କରିଛନ୍ତି। ସେତେବେଳେ ଦଙ୍ଗା ଘଟୁଥିଲା, କେନ୍ଦ୍ର ମନ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମହାଭିଯୋଗ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ମୋ ବାପା ବିଶ୍ୱାସ କରୁଥିଲେ ଯେ ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ ଅନ୍ୟ କୌଣସି ଉପାୟ ନ ଥିଲା। ତେବେ ପରେ ସେ ଅନୁଭବ କରିଥିଲେ ଇନ୍ଦିରା ଗାନ୍ଧୀ ଏବଂ ବିରୋଧୀ ଦଳର ନେତା ଜେପି ନାରାୟଣଙ୍କ ମଧ୍ୟରେ କଥାବାର୍ତ୍ତା ହେବା ଉଚିତ ଥିଲା। ଯାହା ଇତିହାସ ବଦଳାଇ ଦେଇଥାନ୍ତା।

Share