ପ୍ରଣବ-ଧର୍ମେନ୍ଦ୍ର କୋଳାକୋଳି

ସମ୍ବଲପୁର,୧୧।୫ (ଭବାନୀଶଙ୍କର ଭୋଇ): ପବିତ୍ର ଅକ୍ଷୟତୃତୀୟା ଅବସରରେ ସମ୍ବଲପୁରର ଗଣପର୍ବ ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠାପର୍ବ ସମ୍ପନ୍ନ ହୋଇଛି। ତେବେ ଥାଳଉଠା ପର୍ବ ଅବସରରେ ସମ୍ବଲପୁରର ରାଜନୈତିକ ମାହୋଲରେ ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଥିଲା। ପ୍ରତିଦିନ ବିଜେଡି ଭାଜପା ମଧ୍ୟରେ ବାକଯୁଦ୍ଧ ଚାଲିଥିବାବେଳେ ପରସ୍ପରର ଦୋଷ ଦୁର୍ବଳତାକୁ ପଦାରେ ପକାଇ ଅପଦସ୍ଥ କରିବାକୁ ପଛାଉ ନାହାନ୍ତି। ତେବେ ରାଜନୀତିର ଏଭଳି ବିଚିତ୍ର ଦୃଶ୍ୟଠାରୁ ଥାଳଉଠା ପର୍ବରେ ଉଭୟ ଦଳର ନେତାଙ୍କର ବ୍ୟବହାର ସମ୍ପୂର୍ଣ୍ଣ ଭିନ୍ନ ରହିଥିବା ଦେଖିବାକୁ ମିଳିଛି, ରାଜ୍ୟବାସୀଙ୍କୁ ବେଶ୍‌ ଉତ୍ସାହିତ କରିପାରିଛି। ଭାଜପାର ସମ୍ବଲପୁର ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିରରେ ଥାଳ ଉଠାପର୍ବରେ ଯୋଗ ଦେବାକୁ ପହଞ୍ଚିଥିଲେ। ଏହି ସମୟରେ ବିଜେଡିର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ(ବବି) ଏବଂ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ମଧ୍ୟ ସମାନ କାର୍ଯ୍ୟକ୍ରମରେ ମନ୍ଦିରରେ ପହଞ୍ଚତ୍ଥିଲେ। ହଠାତ ଧର୍ମେନ୍ଦ୍ରଙ୍କୁ ଦେଖି ବବି ଦାସ ତାଙ୍କ ପାଖକୁ ପହଞ୍ଚିବା ପରେ ପରସ୍ପରକୁ ଆଲିଙ୍ଗନ କରିଥିଲେ। ହଠାତ୍‌ ଏହି ଦୃଶ୍ୟ ଦେଖି ଉଭୟଙ୍କ ସମର୍ଥକ ଏବଂ ଭକ୍ତମାନେ ବିସ୍ମିତ ହୋଇଯାଇଥିଲେ। ପରସ୍ପର ପ୍ରତି କଟୁକ୍ତି ଏବଂ ଆକ୍ଷେପଭରା ବାର୍ତ୍ତା ଶୁଣି ଆସୁଥିବା ଜନସାଧାରଣ ରାଜନୀତିର ଏହି ଦୃଶ୍ୟକୁ ନିଜ ଢଙ୍ଗରେ ବ୍ୟାଖ୍ୟା କରିଥିଲେ। ଉଭୟେ କ’ଣ କଥା ହେଲେ ତାହା ଭିଡ଼ ଭିତରେ ଶୁଣିବା ସମ୍ଭବ ନ ଥିଲା। ତେବେ ଉଭୟଙ୍କ ଭାବଭଙ୍ଗୀରୁ ପ୍ରତିଦ୍ୱନ୍ଦୀ ଭାବେ ଉଭୟେ ଛିଡା ହୋଇଥିବା ଭଳି ଅନୁମାନ କରିବା କଷ୍ଟକର ହୋଇପଡିଥିଲା। ସମାନ ଭାବରେ ଭାଜପା ପ୍ରାର୍ଥୀ ଜୟନାରାୟଣ ଏବଂ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ମଧ୍ୟ ପାଖରେ ବସି କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଚାରିଜଣଯାକ ଝାଡୁଆପଡ଼ାର ଲୋକନାଥ ବାବାଙ୍କ ମନ୍ଦିରରେ ଥାଳଉଠା ପର୍ବରେ ଏକାଠି ବସି ପୂଜାରେ ସାମିଲ ହୋଇଥିଲେ। ପରେ ଥାଳଉଠା ସମୟରେ ଚାରିଜଣ ଯାକ ଏକାସାଙ୍ଗରେ ଥାଳ ଧରିବା ସହ ଶୀତଳଷଷ୍ଠୀ ପାଇଁ ଦାନ ଅର୍ଥ ପ୍ରଦାନ କରିଥିଲେ। ଲଗାତାର ଆରୋପ ପ୍ରତ୍ୟାରୋପ ଭିତରେ ଥାଳଉଠା ସମୟର ଦୃଶ୍ୟ ପୂରା ସମ୍ବଲପୁରବାସୀଙ୍କୁ ଭିନ୍ନ ଏକ ଚର୍ଚ୍ଚାର ଖୋରାକ ଯୋଗାଇଥିଲା।

Share