ବିଡିଓଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଲେ ପ୍ରଣବ

ଧର୍ମଶାଳା,୨୯ା୮(ବଟକୃଷ୍ଣ ପରିଡ଼ା):ଯାଜପୁର ଜିଲାର ଧର୍ମଶାଳାରେ ରାଜନୈତିକ ବିବାଦ ଉଗ୍ର ହେବାରେ ଲାଗିଛି। ଆରୋପ ପ୍ରତ୍ୟାରୋପ ସହ ନେତା, କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି। ସ୍ଥିତି ଏପରି ହୋଇଛି ଯେ, ପଞ୍ଚାୟତ ସମିତି ପରିସରରେ ପଞ୍ଚାୟତ ଜନ ପ୍ରତିନିଧିମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏନେଇ ଧର୍ମଶାଳା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ଦାୟୀ କରି ଜିଲାପାଳ ଓ ଏସ୍‌ପିଙ୍କ ନିକଟରେ ଫେରାଦ ହୋଇଛନ୍ତି ଜନପ୍ରତିନିଧି। ପରେ ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ।
ଜାରକା ନୂଆଗାଁଠାରେ ଗୁରୁବାର ଏକ ଖବରଦାତା ସମ୍ମିଳନୀ କରି ପ୍ରଣବ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିମାନେ ବ୍ଲକ କାର୍ଯ୍ୟାଳୟରେ ଅସୁରକ୍ଷିତ ବୋଲି କହିବା ସହ ବିଡିଓଙ୍କ ଏତାଦୃଶ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ବୁଧବାର ସରକାରଙ୍କର କୌଣସି ଭିଡିଓ କନ୍‌ଫରେନ୍ସ କାର୍ଯ୍ୟକ୍ରମ ନ ଥିଲା। ମାତ୍ର ବିଡିଓଙ୍କୁ ଭେଟିବାକୁ ଯାଇଥିବା ଜନପ୍ରତିନିଧିମାନଙ୍କୁ ସେ ଅପେକ୍ଷା କରାଇ ଏକ ଘଣ୍ଟାରୁ ଅଧିକ ସମୟ ପରେ ଆସିଥିଲେ। ଏଥିସହ ଉନ୍ନୟନମୂଳକ କାର୍ଯ୍ୟ ଠପ ହେବା, ନିର୍ମାଣ କାର୍ଯ୍ୟର ବିଲ ପୈଠ ନ ହେବା, ମିଛ ମାମଲା ରୁଜୁ ହେବା ଏବଂ ଧର୍ମଶାଳା ଷ୍ଟାଡିୟମର ଦାୟିତ୍ୱ କାହା ହାତରେ ରହିଛି ବିଡିଓ ସ୍ପଷ୍ଟ କରନ୍ତୁ ବୋଲି ପ୍ରଣବ କହିଛନ୍ତି। ୩ ଦିନ ମଧ୍ୟରେ ପ୍ରଶାସନ ଏଦିଗରେ ତଦନ୍ତ କରି ପଦକ୍ଷେପ ନ ନେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ପ୍ରଣବ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ଅଭିଯୋଗକୁ ବିଡିଓ ଖଣ୍ଡନ କରିଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଉଛି ବୋଲି ସେ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଜିଲା ପରିଷଦ ସଭ୍ୟ ଜଳଧର ମହାନ୍ତି, ସ୍ମୃତିରେଖା ବେହେରା, ସମିତିସଭ୍ୟ ପ୍ରିୟବ୍ରତ ପ୍ରଧାନ, କ୍ଷିରାବ୍ଦୀ ତନୟା ମଲିକ, ନର୍ମଦା ସ୍ବାଇଁ ଓ ସୌମ୍ୟରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।