Categories: ଖେଳ

ପ୍ରଣୟ, ସେନ୍‌ ଦ୍ୱିତୀୟ ରାଉଣ୍ଡରେ

କୋପେନ୍‌ହାଗେନ,୨୨ା୮: ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ଏଚ୍‌.ଏସ୍‌. ପ୍ରଣୟ ଓ ଲକ୍ଷ୍ୟ ସେନ୍‌ ଏଠାରେ ଚାଲିଥିବା ବିଶ୍ୱ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ପ୍ରଣୟ ସୋମବାର ସେ ଫିନ୍‌ଲାଣ୍ଡର କାଲେ କୋଲ୍‌ଜୋନେନ୍‌ଙ୍କ ବିପକ୍ଷରେ ଏକ ସିଧାସଳଖ ଗେମ୍‌ରେ ବିଜୟ ହାସଲ କରିଛନ୍ତି। ବିଶ୍ୱର ୯ ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ଗତ ଦୁଇ ସଂସ୍କରଣରେ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିଛନ୍ତି। ଏଠାରେ କୋଲ୍‌ଜୋନେନ୍‌ଙ୍କୁ ସେ ୨୪-୨୨, ୨୧-୧୦ରେ ହରାଇ ଦେଇଥିଲେ। ଫଳରେ ଫିନ୍‌ଲାଣ୍ଡର ଏହି ଖେଳାଳିଙ୍କ ବିରୋଧରେ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୩ଟି ମ୍ୟାଚ୍‌ରେ ପ୍ରଣୟ ବିଜୟ ହାସଲ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ସେନ୍‌ ମରିସସ୍‌ର ଜର୍ଜେସ ଜୁଲିଏନ୍‌ ପଲ୍‌ଙ୍କୁ ୨୧-୧୨,୨୧-୭ରେ ପରାସ୍ତ କରିଛନ୍ତି। ଭାରତର ତଥା ୩୩ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ ମିକ୍ସଡ ଡବଲ୍ସ ଯୋଡ଼ି ରୋହନ କପୁର ଓ ଏନ୍‌. ସିକ୍କି ରେଡ୍ଡୀ ସ୍କଟ୍‌ଲାଣ୍ଡର ଆଡାମ ହଲ୍‌ ଓ ଜୁଲି ମ୍ୟାକ୍‌ଫର୍ସନଙ୍କଠାରୁ ୧୪-୨୧, ୨୨-୨୦ ଓ ୧୮-୨୧ରେ ହାରିଯାଇଛନ୍ତି।

Share