Categories: ଖେଳ

ପ୍ରଣୟଙ୍କୁ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ନୂଆଦିଲ୍ଲୀ, ୩୦ା୮ (ପି.ଟି.): ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ପାଇବା ପରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଏଚ.ଏସ୍‌. ପ୍ରଣୟ ମଙ୍ଗଳବାର ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ ତାଲିକାରେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି। ୩୧ ବର୍ଷୀୟ କେରଳର ଏହି ବ୍ୟାଡ୍‌ମିଣ୍ଟନ ଖେଳାଳି ବିଶ୍ୱ ଚାମ୍ପିୟନଶିପ୍‌ରେ ତାଙ୍କ ପ୍ରଥମ ବ୍ରୋଞ୍ଜ ପଦକ ହାସଲ ପଥରେ ବିଶ୍ୱର ନମ୍ବର ଓ୍ବାନ ଓ ଅଲିମ୍ପିକ ଚାମ୍ପିୟନ ଭିକ୍ଟର ଏକ୍ସେଲସେନଙ୍କୁ ହରାଇ ଦେଇଥିଲେ। ଫଳରେ ସେ ୭୨୪୩୭ ପଏଣ୍ଟ ସହ ୩ ସ୍ଥାନ ଉପରକୁ ଉଠିପାରିଛନ୍ତି। ଗତବର୍ଷ ଡିସେମ୍ବରଠାରୁ ସେ କେବଳ ଏକମାତ୍ର ଭାରତୀୟ ଭାବେ ଟପ୍‌ ୧୦ରେ ତାଙ୍କ ସ୍ଥାନ ବଜାୟ ରଖିପାରିଛନ୍ତି। ଏହି ସମୟ ମଧ୍ୟରେ ସେ ସୁପର-୫୦୦ ମାଲେସିଆ ମାଷ୍ଟର୍ସ ଜିତିଥିବା ବେଳେ ନିକଟରେ ଅଷ୍ଟ୍ରେଲିଆନ ଓପନରେ ରନରଅପ୍‌ ହୋଇଥିଲେ। ପୁରୁଷ ସିଙ୍ଗଲ୍ସରେ ଅନ୍ୟ ଭାରତୀୟଙ୍କ ମଧ୍ୟରେ ଲକ୍ଷ୍ୟ ସେନ୍‌ ଗୋଟିଏ ସ୍ଥାନ ତଳକୁ ଖସି ଆସିଛନ୍ତି। ବର୍ତ୍ତମାନ ସେ ବିଶ୍ୱର ୧୨ ନମ୍ବର ଖେଳାଳି ହୋଇଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ ମଧ୍ୟ କିଡାମ୍ବି ଶ୍ରୀକାନ୍ତ ୨୦ତମ ସ୍ଥାନ ବଜାୟ ରଖିଛନ୍ତି। ମହିଳା ସିଙ୍ଗଲ୍ସରେ ପୂର୍ବତନ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ପ୍ରଥମ ରାଉଣ୍ଡରେ ପରାଜିତ ହୋଇଥିଲେ ମଧ୍ୟ ଗୋଟିଏ ସ୍ଥାନ ଉପରକୁ ଉଠି ୧୪ତମ ସ୍ଥାନରେ ଅଛନ୍ତି। ପୁରୁଷ ଡବଲ୍ସରେ ସାତ୍ତ୍ୱିକସାଇରାଜ ରାଙ୍କି ରେଡ୍ଡୀ ଓ ଚିରାଗ ଶେଟ୍ଟି ବିଶ୍ୱ ଚାମ୍ପିୟନଶିପ୍‌ କ୍ୱାର୍ଟରଫାଇନାଲରେ ପରାଜିତ ହୋଇଥିଲେ ମଧ୍ୟ ବିଶ୍ୱର ନମ୍ବର ୨ ର଼୍ୟାଙ୍କିଙ୍ଗ ବଜାୟ ରଖିପାରିଛନ୍ତି। ମହିଳା ଡବଲ୍ସ ଯୋଡ଼ି ତ୍ରିସା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ବିଶ୍ୱ ର଼୍ୟାଙ୍କିଙ୍ଗରେ ଦୁଇସ୍ଥାନ ପଦୋନ୍ନତି ସହ ୧୭ତମ ସ୍ଥାନ ଅଧିକାର କରିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ରେ ଏହି ଯୋଡ଼ି ପ୍ରି-କ୍ୱାର୍ଟରଫାଇନାଲ ପର୍ଯ୍ୟନ୍ତ ଯାଇ ପାରିଥିଲେ। ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସେମାନେ ଚାଇନାର ଚେନ୍‌ କ୍ୱିନ୍‌ ଚେନ୍‌ ଓ ଜିଆ ୟି ଫାନ୍‌ଙ୍କଠାରୁ ହାରିଯାଇଥିଲେ, ଯେଉଁ ଯୋଡ଼ି ଶେଷରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲା।

Share