ଏସ୍‌ସିବିରୁ ଡିସଚାର୍ଜ ହେଲେ ପ୍ରଶାନ୍ତ ଜଗଦ୍ଦେବ

କଟକ,୯।୬ (ଶିଳ୍ପା ପ୍ରିୟଦର୍ଶିନୀ): ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ୧୧ ଦିନ ପରେ ଆଜି କଟକ ଏସ୍‌ସିବିରୁ ଡିସଚାର୍ଜ କରାଯାଇଛି। ଗତ ମେ’ ୨୯ ତାରିଖରେ ସେ ଅସୁସ୍ଥ ହୋଇ କଟକ ବଡ ମେଡିକାଲର ମେଡିସିନ ବିଭାଗରେ ଭର୍ତ୍ତି ହୋଇଥିଲେ।

ଇଭିଏମ ଭଙ୍ଗାରୁଜା କରିଥିବା ଅଭିଯୋଗରେ ଗତ ମେ’ ୨୫ ତାରିଖ ବିଳମ୍ବିତ ରାତିରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିଲା। କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଇ ଦିଆଯାଇଥିଲା। ଜେଲରେ ଥିବା ବେଳେ ସେ ଅସୁସ୍ଥ ହୋଇପଡିଥିଲେ। ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଗତ ମେ’୩୧ରେ ପ୍ରଶାନ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିଲା। ଖୋର୍ଦ୍ଧା ଅତିରିକ୍ତ ଜିଲା ଦୌରାଜଜ-୨ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ତେବେ ଜାମିନ ପାଇଁ ସେ ପୁଣି ଆବେଦନ କରିଥିଲେ। ଜୁନ ୭ ତାରିଖରେ କୋର୍ଟ ତାଙ୍କୁ ୩ ଦିନ ପାଇଁ ଜାମିନ ପ୍ରଦାନ କରିଥିଲେ। ତାଙ୍କୁ ଜୁନ ୯, ୧୦ ଓ ୧୧ ତାରିଖ ପାଇଁ ଜାମିନ ମିଳିଛି। ରବିବାରଠାରୁ ତାଙ୍କ ଜାମିନ ଅବଧି ଆରମ୍ଭ ହୋଇଛି।

Share