Categories: ଜାତୀୟ

ବ୍ରେକ ପରେ ପୁଣି ବଢୁଛି ସମ୍ପର୍କ

ନୂଆଦିଲ୍ଲୀ,୨୮ ।୩: ନିର୍ବାଚନ ରଣନୀତିଜ୍ଞ ଭାବେ ପରିଚିତ ପ୍ରଶାନ୍ତ କିଶୋର ପୁଣିଥରେ କଂଗ୍ରେସ ସହ ଯୋଗାଯୋଗରେ ଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାନ୍ତ କିଶୋର ଇତିମଧ୍ୟରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସମ୍ପର୍କରେ ଅଛନ୍ତି । ତେବେ ଏମାନଙ୍କ ମଧ୍ୟରେ କ’ ଣ କଥାବାର୍ତ୍ତା ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅନୁମାନ କରାଯାଉଛି କି ପିକି ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରଚାର ଅଭିଯାନର ମଙ୍ଗ ଧରିପାରନ୍ତି । ଆହୁରି ମଧ୍ୟ କୁହାଯାଉଛି କି ପିକେ ଓ କଂଗ୍ରେସ ନେତୃତ୍ୱ ଗୁଜରାଟ ନିର୍ବାଚନ ସହ ଅନ୍ୟ ଦିଗକୁ ନେଇ ବି ମନ୍ଥନ କରିପାରନ୍ତି ।
ଏହାକୁ ନେଇ ଏବେ କଂଗ୍ରେସ ନେତାମାନେ ଚୁପ ରହିଛନ୍ତି । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନିକଟତମଙ୍କ କହିବା କଥା ହେଲା ଏବେ ସେମାନେ ଏ ବିଷୟରେ କୌଣସି ଟିପ୍ପଣି ଦେବେ ନାହିଁ । ଏପଟେ ପ୍ରଶାନ୍ତ କିଶୋରଙ୍କ ପକ୍ଷରୁ ଏହାକୁ ଖଣ୍ଡନ ବି କରାଯାଉ ନାହିଁ ।
ଗୁଜରାଟ କଂଗ୍ରେସର ପ୍ରଭାରୀ ରଘୁ ଶର୍ମାଙ୍କୁ ଏ ସମ୍ପର୍କରେ ପଚରା ଯିବାରୁ ସେ ନୋ କମେଣ୍ଟସ୍ ବୋଲି କହିଛନ୍ତି । କଂଗ୍ରେସର ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପିକେଙ୍କ ସହ କଂଗ୍ରେସର ଯେପର୍ଯ୍ୟନ୍ତ ସହମତି ହୋଇନାହିଁ ସେପର୍ଯ୍ୟନ୍ତ ଦୁଇପକ୍ଷରୁ ଏସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିବ ନାହିଁ ।

Share