Categories: ଜାତୀୟ

୩ହଜାର କି.ମି. ପଦଯାତ୍ରା କରିବେ ପିକେ

ପାଟନା,୫।୫: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗୁରୁବାର ବିହାର ରାଜଧାନୀ ପାଟନାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ପୂର୍ବରୁ ପ୍ରଶାନ୍ତ କିଶୋର ନୂଆ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଗୁରୁବାର କିନ୍ତୁ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉକ୍ତ ଖବରଦାତା ସମ୍ମିଳନୀରେ ପିକେ କୌଣିସ ନୂଆ ଦଳ ଘୋଷଣା କରିବେ ନାହିଁ ବୋଲି କହିଛନ୍ତି। ଏଥିସହ ସେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତ ୩୦ବର୍ଷରୁ ବିହାରରେ ଲାଲୁ ଓ ନୀତିଶଙ୍କ ରାଜ ଚାଲିଛି। ଏହାପରେ ବି ଆଜିକା ଦିନରେ ବିହାର ଦେଶର ଅନ୍ୟ ରାଜ୍ୟ ତୁଳନାରେ ସବୁଠାରୁ ପଛରେ ଏବଂ ଗରୀବ ରାଜ୍ୟ ହୋଇ ରହିଛ ବୋଲି ପିକେ କହିଛନ୍ତି। ବର୍ତ୍ତମାନ ବିହାରରେ ନୂତନ ଚିନ୍ତାଧାରା ଓ ନୂତନ ପ୍ରୟାସର ଆବଶ୍ୟକତା ରହିଛି। ଏଠାରେ ସାମାଜିକ ନ୍ୟାୟ ପ୍ରସଙ୍ଗକୁ ଛାଡି ଦିଆଯାଇଥିବା ବେଳେ ବିକାଶ ଦୃଷ୍ଟିରୁ ବିହାର ନିମ୍ନରେ ରହିଛି। ଏହି ସତ୍ୟକୁ କେହି ଅସ୍ବୀକାର କରିପାରିବେ ନାହିଁ। ଯଦି ଆସନ୍ତା ୧୦-୧୫ ବର୍ଷ ମଧ୍ୟରେ ବିହାରକୁ ଅଗ୍ରଣୀ ରାଜ୍ୟ ତାଲିକାରେ ଆସିବାକୁ ପଡିବ, ତା’ହେଲେ ଏଥିପାଇଁ ନୂତନ ଚିନ୍ତାଧାରା ଏବଂ ନୂତନ ପ୍ରୟାସ ଆବଶ୍ୟକ ବୋଲି ସେ କହିଛନ୍ତି। ଅନ୍ୟପଟେ ପଶ୍ଚିମ ଚମ୍ପାରନରୁ ୩ ହଜାର କିଲୋମିଟର ଲମ୍ବା ପଦଯାତ୍ରା ବାହାର କରିବେ ବୋଲି ପ୍ରଶାନ୍ତ କିଶୋର ଘୋଷଣା କରିଛନ୍ତି। ଆସନ୍ତା ୩ରୁ ୪ ମାସ ମଧ୍ୟରେ ସେ ୧୮ହଜାର ଲୋକଙ୍କୁ ଭେଟିବେ ଓ ଜନସମର୍ଥନ ଏକଜୁଟ କରିବେ ବୋଲି ପିକେ ସୂଚନା ଦେଇଛନ୍ତି।

Share