ପ୍ରଶାନ୍ତ କିଶୋରଙ୍କ ମେଣ୍ଟକୁ ନେଇ ବଡ ବୟାନ!

ନୂଆଦିଲ୍ଲୀ,୧୯।୩: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବଡ ବୟାନ ଦେଇଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ଯାହାକୁ ନେଇ ଖାସ୍‌ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ନିଦ ହଜି ଯାଇଛି। ସେ କହିଛନ୍ତି, ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ଏଥର ତୃଣମୂଳ କଂଗ୍ରେସ ଅପେକ୍ଷା ଭଲ ପ୍ରଦର୍ଶନ କରିବ। ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲହର ଦେଖାଯାଇଥିଲା।

ବର୍ତ୍ତମାନ ପ୍ରଶାନ୍ତ କିଶୋର ଦାବି କରିଛନ୍ତି ଯେ, ୨୦୨୪ରେ ପଶ୍ଚିମବଙ୍ଗରେ ଟିଏମସି ଅପେକ୍ଷା ଭାଜପା ଅଧିକ ଆସନ ପାଇବ। ଉତ୍ତର ପୂର୍ବ ଏବଂ ଦକ୍ଷିଣ ଭାରତୀୟ ରାଜ୍ୟରେ ମଧ୍ୟ ଭାଜପାର ଆସନ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ପ୍ରଶାନ୍ତ କିଶୋରଙ୍କ ଅନୁଯାୟୀ ୪୦୦ ରୁ ଅଧିକ ସିଟ ଜିତିବା ପାଇଁ ଏନଡିଏ ଗଠବନ୍ଧନର ଲକ୍ଷ୍ୟ ହାସଲ କରିବା କଷ୍ଟକର, କିନ୍ତୁ ପଶ୍ଚିମବଙ୍ଗରେ ଆଶ୍ଚର୍ଯ୍ୟଜନକ ଫଳାଫଳ ଆସିବ। ସେ କହିଛନ୍ତି, ମୁଁ କେଣସି ଭବିଷ୍ୟବାଣୀ କରିବାକୁ ଚାହେଁ ନାହିଁ, କିନ୍ତୁ ଟିଏମସି ଅପେକ୍ଷା ପଶ୍ଚିମବଙ୍ଗରେ ଭାଜପାର ପ୍ରଦର୍ଶନ ଭଲ ହେବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦକ୍ଷିଣ ରାଜ୍ୟ ଗସ୍ତ ଭାଜପା ପାଇଁ ଏକ ଭଲ ସଙ୍କେତ।

ଏକ ସାକ୍ଷାତକାରରେ ପ୍ରଶାନ୍ତ କିଶୋର ଆହୁରି କହିଛନ୍ତି ଯେ, ବଙ୍ଗଳା ବ୍ୟତୀତ ବିହାର, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଏବଂ କେରଳରେ ମଧ୍ୟ ଭାଜପାର ଆସନ ବୃଦ୍ଧି ପାଇବ। ତେବେ ସେ କୌଣସି ଦଳର ଆସନ ସଂଖ୍ୟା ପ୍ରକାଶ କରି ନାହାନ୍ତି।

Share