୪୦୦ ଆସନ କେବଳ ଏକ ସ୍ଲୋଗାନ, ଏତିକି ଆସନ ଜିତିବା ଭାଜପା ପାଇଁ ଅସମ୍ଭବ; ପ୍ରଶାନ୍ତ କିଶୋରଙ୍କ ବଡ଼ ଆକଳନ…

ନୂଆଦିଲ୍ଲୀ,୨୧।୫: ଚଳିତ ନିର୍ବାଚନରେ ଭାଜପା ‘ଅବ୍‌କି ବାର୍‌ ୪୦୦ ପାର୍‌’ର ନାରା ଦେଉଛି। ଅର୍ଥାତ କହିବାକୁ ଗଲେ ଦଳ ୪୦୦ରୁ ଅଧିକ ଆସନରେ ବିଜେତା ହେବା ଲାଗି ସମସ୍ତ ପ୍ରଚେଷ୍ଟା କରୁଛି। ଏମିତିରେ ରାଜନୈତିକ ରଣନୀତିଜ୍ଞ ତଥା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ବଡ଼ ଆକଳନ କରିଛନ୍ତି। ଲୋକ ସଭା ନିର୍ବାଚନରେ ଭାଜପା ପ୍ରାୟ ୩୦୦ ଆସନ ଜିତିବାର ସମ୍ଭାବନା ରହିଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବ୍ୟାପକ କ୍ରୋଧ ନାହିଁ ବୋଲି ସେ କହିଛନ୍ତି।

ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’ ସହ ସ୍ବତନ୍ତ୍ର ସାକ୍ଷାତକାର ଦେଇ ପ୍ରଶାନ୍ତ କହିଛନ୍ତି, ଭାଜପା ଲାଗି ନିଜ ଦମ୍‌ରେ ୩୭୦ ଆସନ ଜିତିବା ଅସମ୍ଭବ। ଦଳକୁ ପ୍ରାୟ ୩୦୦ ଆସନ କିନ୍ତୁ ମିଳିଯାଇପାରେ। ଯେଉଁଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଭାଜପାକୁ ୩୭୦ ଆସନ ମିଳିବ। ଏନ୍‌ଡିଏ ୪୦୦ ପାର୍‌ କରିବ। ମୁଁ କହିଥିଲି ଯେ ଏହା ଅସମ୍ଭବ। ଏହା କେବଳ ସମସ୍ତ କର୍ମକର୍ତ୍ତାଙ୍କ ମନୋବଳ ବଢ଼ାଇବା ଲାଗି ଏକ ସ୍ଲୋଗାନ। ଭାଜପା ପାଇଁ ୩୭୦ ଆସନ ଜିତିବା ଅସମ୍ଭବ। ହେଲେ ଦଳ ନିଶ୍ଚିତ ଭାବେ ୨୭୦ ଆସନରୁ କମ୍‌ ଜିତିବ ନାହିଁ। ଗତ ଲୋକ ସଭାରେ ଦଳ ଯେତିକି ଆସନରେ ଜିତିଥିଲା, ସେତିକି ଆସନ ହାସଲ କରିବାରେ ଦଳ ସଫଳ ହେବ ବୋଲି ସେ କହିଛନ୍ତି।

ସେହିଭଳି ୩୦୦ ଆସନ ଅନୁମାନ ଉପରେ ବିସ୍ତାର ଭାବେ ବର୍ଣ୍ଣନା କରି ସେ କହିଛନ୍ତି, ଭାଜପାକୁ ଲୋକ ସଭା ନିର୍ବାଚନରେ ଉତ୍ତର ଏବଂ ପଶ୍ଚିମ ଭାରତରେ ସେଭଳି କ୍ଷତି ହେବ ନାହିଁ। ହେଲେ ଦକ୍ଷିଣ ଏବଂ ପୂର୍ବ ଭାରତରେ ଦଳର ଆସନ ବୃଦ୍ଧି ପାଉଥିବା ଦେଖାଯାଉଛି।

Share