ନୂଆଦିଲ୍ଲୀ,୧୯।୫: ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ପ୍ରଶାନ୍ତ କୁମାର ମିଶ୍ରା ଏବଂ ବରିଷ୍ଠ ଓକିଲ କେ.ଭି ବିଶ୍ୱନାଥନ। ଶୁକ୍ରବାର ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ୨ ବିଚାରପତିଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ମେ’ ୧୬ ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ବସିଥିବା ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ମିଶ୍ରା ଓ ବିଶ୍ୱନାଥନଙ୍କ ନାଁ ବିଚାରପତି ପଦ ପାଇଁ ସୁପାରିସ କରିଥିଲେ। ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତି ଉପରେ ମୋହର ମାରିଥିଲେ। ଗୁରୁବାର ନୂଆ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲା ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ। ବିଶ୍ୱନାଥନ ଆଇନଜୀବୀରୁ ସିଧାସଳଖ ବିଚାରପତି ହୋଇଥିବା ବେଳେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଏହି ଦୁଇ ଜଣଙ୍କୁ ମିଶାଇ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି।
ତେବେ ଜଷ୍ଟିସ ଜେବି ପାରଡିୱାଲାଙ୍କ ଅବସର ପରେ ବିଶ୍ୱନାଥନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ। ଜଷ୍ଟିସ ପାରଡିୱାଲା ୨୦୩୦ ଅଗଷ୍ଟ ୧୧ରେ ଅବସର ନେବେ। ସେତେବେଳକୁ ବରିଷ୍ଠତା ଦୃଷ୍ଟିରୁ ବିଶ୍ୱନାଥନ ହିଁ ସିଜେଆଇ ହେବେ। ସେ ଏହି ପଦରେ ୨୦୩୧ ମସିହା ମେ’ ୨୫ ଯାଏ କାର୍ଯ୍ୟ କରିପାରିବେ।