ମୁଜାଫରପୁର,୨୦।୯: ବିଗତ ଏକ ବର୍ଷ ଧରି ବିହାରର ବିଭିନ୍ନ ଜିଲାରେ ଜନ ସୁରାଜ ପଦଯାତ୍ରା କରୁଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର(ପିକେ) ଏବେ ମୁଜାଫରପୁର ଜିଲାର ବିଭିନ୍ନ ଅଞ୍ଚଳରେ ପଦଯାତ୍ରା ଚଳାଇଛନ୍ତି । ତେବେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ବିଷୟରେ ମଙ୍ଗଳବାର ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯଦି ନେତା ଏବଂ ଦଳମାନଙ୍କୁ ପରାମର୍ଶ ଦେଇ ପ୍ରଶାନ୍ତ କିଶୋର ଜିତିପାରିବେ, ତେବେ ମୋ ଉପରେ ବିଶ୍ୱାସ ରଖନ୍ତୁ ମୁଁ ବିହାରର ଲୋକମାନଙ୍କୁ ମଧ୍ୟ ଜିତାଇ ପାରିବି। ଏହି ସମଗ୍ର ଅଭିଯାନରେ ମୁଁ କହିଛି ଆମେ ଜନସାଧାରଣଙ୍କ ମଧ୍ୟରେ ଏପରି ଲୋକଙ୍କୁ ଖୋଜି ସେମାନଙ୍କୁ ନିର୍ବାଚନରେ ଛିଡ଼ା କରାଇ ବିଜୟୀ କରାଇବୁ। ଜଣେ ସଚ୍ଚୋଟ ବ୍ୟକ୍ତି ବିଜୟୀ ହେଲେ ରାଜ୍ୟ ତଥା ଦେଶର ସ୍ଥିତି ସୁଧୁରିବ। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ସମ୍ପୂର୍ଣ୍ଣ ଜନସାଧାରଣଙ୍କ ଉପରେ ନିର୍ଭର କରିବ। ଯଦି ଲୋକେ ନିଷ୍ପତ୍ତି ନିଅନ୍ତି ସେମାନେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ, ତେବେ ସେମାନଙ୍କୁ ଆମେ ନିଶ୍ଚିତ ସାହାଯ୍ୟ କରିବୁ ବୋଲି ପିକେ କହିଛନ୍ତି।