ଲେଖାଶ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ପ୍ରତାପ

ବାଲେଶ୍ୱର,୧୦।୫(ମାନସ ବିଶ୍ୱାଳ): ଓଡ଼ିଶାରେ ଦୀର୍ଘ ୨୫ବର୍ଷ ଧରି ବିଜେଡି ଭ୍ରଷ୍ଟାଚାର ଓ ଦୁର୍ନୀତି କରିଆସୁଥିବା ଅଭିଯୋଗ କରି ବିଜେଡି ସରକାର ଉପରେ ବର୍ଷିଛନ୍ତି ଭାଜପା ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର। ବାଲେଶ୍ୱର ସହର ପାଣିଟାଙ୍କିସ୍ଥିତ ଆତିଥ୍ୟ ଭବନର ସମ୍ମିଳନୀ କକ୍ଷରେ ଭାଜପା ପକ୍ଷରୁ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସେ ଯୋଗଦେଇ ବିଜୁ ଜନତା ଦଳର ଅପାରଗତା କାରଣରୁ ଜିଲାରେ ଜଳସେଚନ ସୁବିଧା ନାହିଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ଅଟଳ ବିହାରୀ ବାଜପାୟୀଙ୍କ ସମୟରେ ମିଶନ ଶକ୍ତି ଆରମ୍ଭ କରାଯାଇଥିଲା, ତାକୁ ନେଇ ବିଜେଡି ରାଜନୀତି କରୁଛି ବୋଲି କହି ଉପରୋକ୍ତ ଆରୋପ କରିଥିଲେ।
ବାଲେଶ୍ୱର ଭାଜପାର ଏମ୍‌ପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ଭାଜପା ସରକାରକୁ ଆସିଲେ ପ୍ରଥମେ ଦୁର୍ନୀତିକୁ ବନ୍ଦ କରିବା ସହ ଦାଦନ ଶ୍ରମିକ ଚାଲାଣକୁ ବନ୍ଦ ଓ ରାଜ୍ୟରେ ଆୟୁଷ୍ମାନ କାର୍ଡ ଲାଗୁ କରିବା,  ସୁଭଦ୍ରା ଯୋଜନା କରି ମହିଳାଙ୍କୁ ସଶକ୍ତିକରଣ, ବନ୍ଦର, ନଦୀଗୁଡ଼ିକର ବିକାଶ କରାଯିବା ସହ ଯୁବବର୍ଗଙ୍କୁ ନିଯୁକ୍ତି, ଶିଳ୍ପ କ୍ଷେତ୍ରର ଉନ୍ନତିକରଣ ଭଳି ଯୋଜନାକୁ ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି। ଅନ୍ୟପକ୍ଷରେ ବିଜେଡିି ଏମ୍‌ପି ପ୍ରାର୍ଥତ୍ନୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଏମପି ଲାଡ୍‌ ଫେରିଯିବା ଅଭିଯୋଗ ପ୍ରସଙ୍ଗରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ଷଡ଼ଙ୍ଗୀ କହିଥିଲେ ଯେ, ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ। ପ୍ରଥମତଃ ଏମପି ଲାଡ୍‌ ଫେରିଯାଏ ନାହିଁ। ସେ ତାଙ୍କର ସମସ୍ତ ପାଣ୍ଠିର ବିନିଯୋଗ କରିବା ସହିତ ପୂର୍ବରୁ ଦୁଇ ଏମ୍‌ପିଙ୍କ ବଳକା ଏମପି ଲାଡ୍‌ ମଧ୍ୟ ବିନିଯୋଗ କରିଥିବା ସରକାରୀ ପ୍ରମାଣପତ୍ର ଦେଖାଇଥିଲେ। ସେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଆହ୍ବାନ କରି କହିଥିଲେ, ଯଦି  ସାମନ୍ତସିଂହାର କରିଥିବା ଅଭିଯୋଗ ପ୍ରମାଣ କରିଦେବେ, ତେବେ ସେ ନିର୍ବାଚନରେ ନାମାଙ୍କନ ଦାଖଲ କରିବେ ନାହିଁ, ଯଦି ନ କରିପାରନ୍ତି ତେବେ ସାମନ୍ତସିଂହାର କ’ଣ ପଦକ୍ଷେପ ନେବେ? ପ୍ରତିଦ୍ୱନ୍ଦିତା କରିବା ପାଇଁ ଶିଷ୍ଟାଚାର ଲଙ୍ଘନ କରିବା ଉଚିତ୍‌ ନୁହେଁ ବୋଲି ପରାମର୍ଶ ଦେଇଥିଲେ। ଖବରଦାତା ସମ୍ମିଳନୀରେ ଲୋକସଭା ମିଡିିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ମଞ୍ଚ ଆହ୍ବାନ କରିଥିଲେ। ଜିଲା ସଭାପତି ଉମାକାନ୍ତ ମହାପାତ୍ର ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବା ବେଳେ ପ୍ରବକ୍ତା ବିଭୁପଦ ଦାସ ଓ ବିପିନ ଦାସ ମଞ୍ଚାସୀନ ଥିଲେ।
Share