ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କଲେନି ପ୍ରତାପ ଜେନାଙ୍କ ପୁଅ

କଟକ,୧୪ା୫(ଶିଳ୍ପା ପ୍ରିୟଦର୍ଶିନୀ):ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ସୋମବାର ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ୧ ଘଣ୍ଟା ପରେ ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ୍‌ ପ୍ରତାପ ଜେନା ଓ ବିଧାୟକ ପ୍ରତାପ ଜେନା ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିରଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ହେଲେ ମାହାଙ୍ଗା ନିର୍ବାଚନମଣ୍ଡଳୀ ପାଇଁ ଦାୟିତ୍ୱରେ ଥିବା ରିଟର୍ନିଂ ଅଫିସର ତଥା ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜ୍‌ଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ ନ କରି ଅଙ୍କିତ୍‌ ଫେରିଯାଇଛନ୍ତି। ଏହାକୁ ନେଇ ଏବେ ହଟଚମଟ ସୃଷ୍ଟି ହୋଇଛି। ଏପରି କି ମାହାଙ୍ଗାର ବିଜେଡି ପ୍ରାର୍ଥୀଙ୍କୁ ବଦଳାଇ ପ୍ରତାପ ଜେନାଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେଡି ଯଦି ପ୍ରାର୍ଥୀ ନ ବଦଳାଏ, ତେବେ ପ୍ରତାପ ବିଜେଡି ପ୍ରାର୍ଥୀ ଅଙ୍କିତ୍‌ଙ୍କ ସହ ସ୍ବାଧୀନ ପ୍ରାର୍ଥୀ ଭାବେ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏନେଇ ଅଙ୍କିତ୍‌ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।