ପୋଢୁଆଁ ହେଲେ ବଡ଼ଠାକୁର

ପୁରୀ, ୫ା୧୨(ଅଜିତ ମହାନ୍ତି): ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ବା ପ୍ରଥମାଷ୍ଟମୀ ଅବସରରେ ଘରର ଜ୍ୟେଷ୍ଠଙ୍କୁ ପୋଢୁଆଁ କରାଯାଇ ବନ୍ଦାପନା କରାଯିବାର ପରମ୍ପରା ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପ୍ରଥମାଷ୍ଟମୀରେ ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ, ମହାପ୍ରଭୁଙ୍କ ଭୋଗମଣ୍ଡପ ସମ୍ପନ୍ନ ପରେ ବେଶ ମଇଲମ କରାଯାଇ ପାଣି ପଡ଼ିଥିଲା। ପରେ ପୂଜାପଣ୍ଡା ସାମନ୍ତ ଯାତ୍ରାଙ୍ଗୀ ମହାସ୍ନାନ ନୀତି ସମ୍ପନ୍ନ କରିଥିଲେ। ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ସମେତ ତିନି ଠାକୁରଙ୍କୁ ନୂଆଲୁଗା ଲାଗି କରାଯାଇଥିଲା। ପୂଜାପଣ୍ଡା, ପତି ମହାପାତ୍ର ଏବଂ ମୁଦିରସ୍ତ ମହାପ୍ରଭୁଙ୍କୁ ଚନ୍ଦନ ଲାଗି ସର୍ବାଙ୍ଗ ନୀତି କରିଥିଲେ। ସେବକମାନେ ଶ୍ରୀବିଗ୍ରହମାନଙ୍କୁ ୬ ମୂର୍ତ୍ତି ଅଳଙ୍କାର ଲାଗିକରି ବେଶ କରିଥିଲେ। ଏହାପରେ ବନ୍ଦାପନା ବା ବରୁଣ ପୂଜା ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ଧୂପ ଉଠିବା ପରେ ତିନିବାଡ଼ରେ ମଙ୍ଗଳାର୍ପଣ ନୀତି ସମ୍ପନ୍ନ ହୋଇ ଫୁଲପୁରିଆ ଖଦି ଓ ଛେଦା ପ୍ରସାଦ ଲାଗି ହୋଇ ବନ୍ଦାପନା ନୀତି ସମାପନ କରାଯାଇଥିଲା। ଏହାପରେ ପୋଢ଼ୁଆଁ ନୀତି ସମ୍ପନ୍ନ ହୋଇଥିଲା। ସେହିପରି ପୁରୀ ସହରର ବିଭିନ୍ନ ପରିବାରରେ ଜ୍ୟେଷ୍ଠମାନଙ୍କୁ ପୋଢୁଆଁ କରାଯାଇଥିଲା। ଷଠିଦେବୀଙ୍କ ନିକଟରେ ଭୋଗ ଅର୍ପଣ କରାଯିବା ସହ ଘରର ଜ୍ୟେଷ୍ଠମାନେ ନୂଆ ପୋଷାକ ପିନ୍ଧି ପୋଢୁଆଁ ହୋଇଥିଲେ। ସେମାନଙ୍କୁ ବନ୍ଦାପନା କରାଯିବା ପରେ ପିଠା ଖାଇଥିଲେ।

Share