ନୂଆଦିଲ୍ଲୀ, ୯।୯: ଓଡ଼ିଶାର ପ୍ରତିଭା ମହାପାତ୍ର ଆଡୋବି ଇଣ୍ଡିଆର ଉପସଭାପତି ଏବଂ ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଆଇବିଏମ୍ରେ କାମ କରୁଥିଲେ। ସେ ରିଜିଅନାଲ ଇଞ୍ଜିନିୟରିଂ କଲେଜ (ବର୍ତ୍ତମାନର ଏନ୍ଆଇଟି) ରାଉରକେଲାରୁ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂରେ ବିଟେକ୍ ଡିଗ୍ରୀ ହାସଲ କରିଛନ୍ତି। ଭୁବନେଶ୍ୱରର ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟରୁ ସିଷ୍ଟମ ଆଣ୍ଡ ଫାଇନାନ୍ସରେ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ମଧ୍ୟ ସେ କରିଛନ୍ତି। ଆଡୋବି ଇଣ୍ଡିଆର ଏକ୍ସପେରିଏନ୍ସ କ୍ଲାଉଡ୍, କ୍ରିଏଟିଭ କ୍ଲାଉଡ୍, ଡକ୍ୟୁମେଣ୍ଟ କ୍ଲାଉଡ୍ ଭଳି ବିଜ୍ନେସ୍ର ସେ ନେତୃତ୍ୱ ନେବେ ବୋଲି ଜଣାପଡିଛି। କମ୍ପାନୀର ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ(ଏପିଏସି) ଲାଗି ସଭାପତି ଥିବା ସାଇମନ ଟେଟ୍ଙ୍କୁ ସେ ରିପୋର୍ଟିଂ କରିବେ। ପ୍ରତିଭାଙ୍କର ଟେକ୍ନୋଲୋଜି ପ୍ରତି ଅନୁରକ୍ତି ରହି ଆସିଥିବା ବେଳେ ତାଙ୍କ ନେତୃତ୍ୱ ଆଡୋବିର ଭାରତ ବିଜନେସ୍ ଅଭିବୃଦ୍ଧିକୁ ଆଉ ଗୋଟିଏ ସ୍ତରକୁ ନେବାରେ ଯୋଗଦାନ ରଖିବ ବୋଲି ଟେଟ୍ କହିଛନ୍ତି। ଟେକ୍ନୋଲୋଜି ଶିଳ୍ପରେ ମହାପାତ୍ରଙ୍କର ଦୀର୍ଘ ୨୫ ବର୍ଷର ଅଭିଜ୍ଞତା ରହିଛି। ଆଇବିଏମ୍ରେ ଥିବା ବେଳେ ସେ ଏପିଏସି ଲାଗି ଡିଜିଟାଲ ସେଲ୍ସର ଉପସଭାପତି ଭାବେ କାର୍ଯ୍ୟ କରିଥିଲେ।