Categories: ଖେଳ

ପ୍ରତ୍ୟାଶା, କିଟ୍‌ ମହିଳାଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୭ା୫ (ସ୍ପୋଟର୍‌ସ ବ୍ୟୁରୋ): ଉତ୍ତରପ୍ରଦେଶ ରାଜ୍ୟର ବିଭିନ୍ନ ସହରରେ ୩ୟ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଅନୁଷ୍ଠିତ ହେଉଛି। ଶୁକ୍ରବାର ରଗବୀ ଇଭେଣ୍ଟର ଅନ୍ତିମ ଦିବସରେ କିଟ୍‌ ମହିଳା ଦଳ ୫୬:୦ରେ ମୁମ୍ବାଇ ୟୁନିଭର୍ସିଟିକୁ ପରାସ୍ତ କରି ଚାମ୍ପିୟନ ହେବା ସହ ସ୍ବର୍ଣ୍ଣ ପଦକ ଲାଭ କରିଛି। ପୁରୁଷ ଦଳ ଫାଇନାଲରେ ପୁଣେର ଭାରତୀ ବିଦ୍ୟାପୀଠଠାରୁ ପରାଜିତ ହୋଇ ରୌପ୍ୟ ହାସଲ କରିଛି। ଟେନିସ ଇଭେଣ୍ଟରେ ଇନ୍ଦୋରର ରିନେସାନ୍ସ ୟୁନିଭର୍ସିଟି ବିପକ୍ଷରେ କିଟ୍‌ ପୁରୁଷ ଦଳ ୩:୦ରେ ବିଜୟୀ ହୋଇଛି। ଦଳର ଏହାଥିଲା ଦ୍ୱିତୀୟ ମ୍ୟାଚ।
ମହିଳା ସନ୍ତରଣରେ ଉତ୍କଳ ୟୁନିଭର୍ସିଟିର ପ୍ରତ୍ୟାଶା ରୟ ୧୦୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ସ୍ବର୍ଣ୍ଣ ପଦକ ପାଇଛନ୍ତି। ୪୦୦ ମିଟର ଫ୍ରି-ଷ୍ଟାଇଲ ଇଭେଣ୍ଟରେ ଏକ ରୌପ୍ୟ ମଧ୍ୟ ଜିତିଛନ୍ତି। ହକିରେ ସମ୍ବଲପୁର ୟୁନିଭର୍ସିଟି ବିଜୟ ସହ ଏହାର ଅଭିଯାନ ଆରମ୍ଭ କରିଛି। ଦଳ ୧-୦ ଗୋଲ୍‌ରେ ବାରଣାସୀସ୍ଥିତ କାଶି ବିଦ୍ୟାପୀଠକୁ ପରାସ୍ତ କରିଛି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମପି ଅଚ୍ୟୁତ ସାମନ୍ତ କିଟ୍‌ ରଗ୍‌ବୀ ଦଳ ଓ ଉତ୍କଳ ୟୁନିଭର୍ସିଟିର ପ୍ରତ୍ୟାଶାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share