
ଭୁବନେଶ୍ୱର,୧୦।୪: ଓ୍ବକଫ୍ ବିଲ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ଆକ୍ଷେପ କରିବା ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ମହଙ୍ଗା ପଡ଼ିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୋଲାଖୋଲିି ଭାବେ ଗଣମାଧ୍ୟମ ସମ୍ମୁଖରେ ପ୍ରଭାତ ଦଳର କେହି ନୁହନ୍ତି ବୋଲି କହିବା ସହ ଚିଟଫଣ୍ଡ ମାମଲାରେ ସେ ଜେଲ ଯିବା କଥା କହିଛନ୍ତି। ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ପ୍ରଭାତଙ୍କ ଉପରୁ ୨୦୧୭ରେ ବିଜେଡି ପକ୍ଷରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିବା ଏକ ଚିଠି ଘୂରି ବୁଲୁଛି। ୨୦୧୭ ନଭେମ୍ବର ୧୦ରେ ବିଜେଡି ପକ୍ଷରୁ ରାଜ୍ୟ ସମ୍ପାଦକ ବିଜୟ ନାୟକ ଉକ୍ତ ଚିଠିରେ ଦର୍ଶାଇଛନ୍ତି ଯେ, ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବାଙ୍କୀ ବିଧାୟକ ପ୍ରଭାତ ତ୍ରିିପାଠୀଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଯଦି ପ୍ରଭାତ ବିଜେଡିରେ ଏବେଯାଏ ଥିଲେ ତେବେ ସେ ଦଳରେ ନ ଥିଲେ ବୋଲି ନବୀନ କିଭଳି ଗଣମାଧ୍ୟମ ଆଗରେ କହିଲେ। ବାସ୍ତବରେ ପ୍ରଭାତଙ୍କ ନିଲମ୍ବନ କଥା ବିଜେଡି ସୁପ୍ରିମୋ ଜାଣିଛନ୍ତି କି ନା ତାହାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବିଜେଡିର ରାଜ୍ୟ ସଭା ସଦସ୍ୟ ଓ ଅନ୍ୟ ବରିଷ୍ଠ ନେତାମାନେ ପାଣ୍ଡିଆନଙ୍କୁ ନେଇ ଯେଉଁ ଆକ୍ଷେପ କରିଛନ୍ତି ସେନେଇ ତାଙ୍କ ଉପରେ ଦଳ ପକ୍ଷରୁ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ହେଉଛି ତାହାକୁ ନେଇ ଚର୍ଚ୍ଚା ବଢ଼ିଲାଣି।
ତେବେ ଗୁରୁବାର ନବୀନ ପଟ୍ଟନାୟକଙ୍କ ବୟାନ ଉପରେ ପ୍ରଭାତ ତ୍ରିପାଠୀ କାଉଣ୍ଟର ଜବାବ ରଖିଛନ୍ତି। ସେ କହିଛନ୍ତି, ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରି ନ ଥିଲି। ମୁଁ ଦଳରେ ନାହଁ ବୋଲି କହିବା ମହାମିଥ୍ୟା। ନବୀନଙ୍କ ପରି ନେତାଙ୍କ ମୁହଁରେ ଏକଥା ଅଶୋଭନୀୟ। ୧୦ ହଜାର ଲୋକଙ୍କ ଆଗରେ ମୋତେ ପ୍ରଶଂସା କରିଥିଲେ ନବୀନ । ତେଣୁ ମୁଁ ଦଳରେ ନାହିଁ ବୋଲି କହିବା ନବୀନଙ୍କ ମୁହଁରେ ଶୋଭା ପାଉନି। ଚିଟଫଣ୍ଡ କେସ ବିଚାରାଧୀନ ଅଛି। ୨୦୨୪ ନିର୍ବାଚନରେ ମୁଁ ଦଳ ପାଇଁ ପ୍ରଚାର କରିଛି। ମୋତେ ଦଳ ବିଭିନ୍ନ ସମୟରେ ବିନିଯୋଗ କରିଛି।
ସେହିପରି ପ୍ରେସମିଟ କରି ନବୀନଙ୍କ ସହ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । କହିଛନ୍ତି କାଲିଯାଏଁ ଖୋଦ ନବୀନ ଏବଂ ଦଳର ନମ୍ବର ଟୁ ମୁଖିଆ ସାଜିଥିବା ବ୍ୟକ୍ତି ମୋତେ ପ୍ରଶଂସା କରୁଥିବାବେଳେ ହଠାତ ମୋତେ ଦଳରୁ କାଢିଦେଲେ । ମୁଁ ଦଳରେ ଆଉ ନାହିଁ ବୋଲି ଭାରି ସହଜରେ କହିଦେଲେ । ପ୍ରକୃତ କଥା ହେଲା ଦଳର ଭିତିରି ମୁଖିଆ ସାଜିଥିବା ବ୍ୟକ୍ତି ଜଣକୁ ନିଜକୁ ବଞ୍ଚାଇବାକୁ ଏଭଳି ନବୀନ ପଟ୍ଟନାୟକୁ ଢାଲ ସଜାଇ ଏଭଳି ଷଡଯନ୍ତ୍ର ରଚିଛନ୍ତି ବୋଲି କହିଛନ୍ତି ପ୍ରଭାତ ।
ପ୍ରଭାତ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ମୋ ବିରୋଧରେ ଯାହା ଚିଟଫଣ୍ଡ ଦୁର୍ନୀତି ମାମଲା ଥିଲା, ତାହା ହାଇକୋର୍ଟ ଏବେ ବି ବିଚାରାଧିନ ରହିଛି । ଏଯାଏଁ ଏନେଇ କିଛି ବି ନିଷ୍ପତ୍ତି ଶୁଣାଇନାହାଁନ୍ତି କୋର୍ଟ । ମୁଁ ଦୋଷୀ ବୋଲି କୌଣସି ନିଷ୍ପତ୍ତି ହୋଇନାହିଁ । ଫଳରେ ବିଜେଡି ୨୦୧୭ରେ ମୋ ଉପରେ ଲାଗିଥିବା ସସପେନ୍ସସନକୁ ପ୍ରତ୍ୟାହାର କରିଥିଲା । ସେବେଠୋରୁ ୨୦୨୪ ନିର୍ବାଚନ ଭିତରେ ମୁଁ ବାଙ୍କୀ ହେଉ କି ପୂରା କଟକ ଜିଲାରେ ବିଭିନ୍ନ ସ୍ଥାନରେ ହୋଇଥିବା ସଭା ସମିତିରେ ଉପସ୍ଥିତ ଥିଲି । ୨୦୨୪ ନିର୍ବାଚନ ବେଳେ ମୋର କାମକୁ ନେଇ ଖୋଦ ଦଳର ଦୁଇ ନମ୍ବର ମୁଖିଆ ମୋତେ ମଞ୍ଚ ଉପରେ ପ୍ରଶଂସା କରିଥିଲେ । ଏହାବାଦ ଦଳର ରାଜ୍ୟ ସଭାପତି ମଧ୍ୟ ମୋତେ ଲୋକଙ୍କ ଆଗରେ ପ୍ରଶଂସା କରିଛନ୍ତି । ହେଲେ କାଲି ହଠାତ ମୋତେ ଦଳରୁ କାଢିଦେଲେ ? ମୁଁ ଦଳରେ ନାହିଁ ବୋଲି ଜାତୀୟ ଗଣମାଧ୍ୟମରେ କହିଦେଲେ ।
ନିଜକୁ ଦୁଇ ନମ୍ବର ମୁଖିଆ କହୁଥିବା ବ୍ୟକ୍ତିଙ୍କ ସ୍ଥିତି ଦଳରେ ଟଳମଳ । ଏହାଛ ଡା ରାଜ୍ୟ ସଭାରେ ସସ୍ମିତ ପାତ୍ର କାହା ପ୍ରରୋଚନାରେ ଓ୍ବକଫକୁ ସମର୍ଥନ କଲେ ସେକଥା ଦଳର ସବୁ ନେତା ଜାଣିଥିଲେ ବି ପ୍ରକୃତ ସତ ଲୁଚାଇବାକୁ ସେ ଚକ୍ରାନ୍ତ କରିଛନ୍ତି । ମୋତେ ଲୋକଙ୍କ ଆଗରେ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛନ୍ତି । ତା’ଛଡା ଗଣମାଧ୍ୟମରେ ମୁଁ ଯାହା କହିଛି ବୋଲି ଭାଇରାଲ ହେଉଛି ମୁଁ ତ କାହାକୁ କିଛି କହିନାହିଁ । କିଛି ବିଚାର ନକରି ମୋ ବିରୋଧରେ ଏଭଳି ମହାମିଥ୍ୟା କହିବା ଅନ୍ତତଃ ନବୀନ ପଟ୍ଟନାୟକଙ୍କ ଭଳି ଅଭିଜ୍ଞ ନେତାଙ୍କୁ ଆଦୌ ଶୋଭା ପାଏନି ବୋଲି କହିଛନ୍ତି ପ୍ରଭାତ ।