ଦୁବାଇ, ୧୯।୧୦: ଦିଲ୍ଲୀ କ୍ୟାପିଟାଲ୍ସର ଅଭିଜ୍ଞ ଲେଗ୍-ସ୍ପିନର ଅମିତ୍ ମିଶ୍ରା ଆଘାତଜନିତ ସମସ୍ୟା ଲାଗି ଚଳିତ ଆଇପିଏଲ୍ ଅଧାରୁ ବାହାର ହୋଇଯାଇଛନ୍ତି। ଫଳରେ ଅମିତ୍ଙ୍କ ବଦଳ ଖେଳାଳି ଭାବରେ କର୍ନାଟକ ଲେଗ୍-ସ୍ପିନର ପ୍ରବୀଣ ଦୁବେଙ୍କୁ କ୍ୟାପିଟାଲ୍ସ ଦଳରେ ସାମିଲ କରାଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସୋମବାର ଏନେଇ ସୂଚନା ଦିଆଯାଇଛି। ୨୭ ବର୍ଷୀୟ ଦୁବେ କର୍ନାଟକ ପକ୍ଷରୁ ୧୪ଟି ଘରୋଇ ଟି୨୦ ମ୍ୟାଚ୍ ଖେଳି ୧୬ ଉଇକେଟ୍ ନେଇଛନ୍ତି। ତାଙ୍କ ବୋଲିଂ ଇକୋନୋମି ୬.୮୭ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ, ୩ ଅକ୍ଟୋବରରେ ଶାରଜାରେ ଦିଲ୍ଲୀ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଅମିତ୍ଙ୍କ ଡାହାଣ ହାତର ‘ରିଙ୍ଗ୍ ଫିଙ୍ଗର୍’ ଭାଙ୍ଗି ଯାଇଥିଲା। ଫଳରେ ୩୭ ବର୍ଷୀୟ ଏହି ଭେଟେରାନ ହରିୟାଣା ସ୍ପିନରଙ୍କୁ ଅଧାରୁ ଟୁର୍ନାମେଣ୍ଟ ଛାଡ଼ିବାକୁ ପଡ଼ିଥିଲା। ଚଳିତ ସିଜନରେ ଦମ୍ଦାର ପ୍ରଦର୍ଶନ କରିଥିବା ଦିଲ୍ଲୀ ବର୍ତ୍ତମାନ ସୁଦ୍ଧା ୯ ମ୍ୟାଚ୍ ଖେଳି ୭ ବିଜୟ ସହ ୧୪ ପଏଣ୍ଟ ପାଇ ଟେବୁଲ ତାଲିକାର ସର୍ବାଗ୍ରେ ରହିଛି।