Categories: ଖେଳ

ସିପିଏଲ୍‌ ଖେଳିବାରେ ୪୮ ବର୍ଷୀୟ ତାମ୍ବେ ପ୍ରଥମ ଭାରତୀୟ କ୍ରିକେଟର୍‌

ତ୍ରିନିଦାଦ, ୨୭।୮: କୁହାଯାଏ ଟି୨୦ କ୍ରିକେଟ୍‌ ଯୁବ ଖେଳାଳିଙ୍କ ଖେଳ ଅଟେ। କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଭେଟେରାନ ଭାରତୀୟ ସ୍ପିନର ପ୍ରବୀଣ ତାମ୍ବେ। ମୁମ୍ବାଇର ୪୮ ବର୍ଷୀୟ ଲେଗ୍‌ ସ୍ପିନର ପ୍ରବୀଣ ତାମ୍ବେ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ କ୍ରିକେଟର୍‌ ଭାବେ ସେ କାରବୀୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌) ଖେଳିବାର ଗୌରବ ହାସଲ କରିଛନ୍ତି। ସିପିଏଲ୍‌ର ତ୍ରୟୋଦଶ ମ୍ୟାଚ୍‌ରେ ତାମ୍ବେ ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ଦଳ ପକ୍ଷରୁ ସେଣ୍ଟ ଲୁସିଆ ଜୌକସ୍‌ ବିପକ୍ଷରେ ଖେଳି ପଦାର୍ପଣ କରିଥିଲେ। ନାଇଟ୍‌ ରାଇଡର୍ସର ଷ୍ଟାର ସ୍ପିନର ସୁନିଲ ନାରିନଙ୍କ ସ୍ଥାନରେ ପ୍ରବୀଣ ଏହି ମ୍ୟାଚ୍‌ରେ ଖେଳିବାର ସୁଯୋଗ ପାଇଥିଲେ। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ତାମ୍ବେ ଗୋଟିଏ ଓଭର ବୋଲିଂ କରିଥିଲେ। ଏହି ଓଭରରେ ସେ ୧୫ ରନ୍‌ ବ୍ୟୟ କରି ଗୋଟିଏ ଉଇକେଟ୍‌ ଅକ୍ତିଆର କରିଛନ୍ତି। ନିଜର ଅନ୍ତିମ ତଥା ୬ଷ୍ଠ ବଲରେ ସେ ନାଜିବୁଲ ଜର୍ଦାନଙ୍କୁ କିରନ ପୋଲାର୍ଡଙ୍କ ହାତରେ କ୍ୟାଚ୍‌ କରାଇ ସିପିଏଲ୍‌ରେ ନିଜର ଉଇକେଟ୍‌ ଖାତା ଖୋଲିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ତାମ୍ବେଙ୍କୁ ଆଇପିଏଲ୍‌ ଖେଳିବାରୁ ବାସନ୍ଦ କରିଛି ବିସିସିଆଇ। କୋଲକାତା ନାଇଟ୍‌ ରାଇଡର୍ସ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କ୍ରୟ କରିଥିଲା। କିନ୍ତୁ ଚଳିତ ବର୍ଷ ସେ ୟୁଏଇରେ ଅନୁଷ୍ଠିତ ଟି୧୦ ଲିଗ୍‌ରେ ପ୍ରତିନିଧିତ୍ୱ କରିଥିଲେ। ଫଳରେ ବିସିସିଆଇର ବିନା ଅନୁମତିରେ ବିଦେଶ ଲିଗ୍‌ ଖେଳିଥିବାରୁ ତାଙ୍କୁ ଆଇପିଏଲ୍‌ରୁ ବାସନ୍ଦ କରାଯାଇଛି। ପୂର୍ବରୁ ସେ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ, ଗୁଜରାଟ ଲାୟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି।

Share