Categories: ଜାତୀୟ

ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ବର୍ଷା,ପ୍ରତି ମହିଳାଙ୍କୁ ମାସକୁ ୨ ହଜାର ଟଙ୍କା, ବର୍ଷରେ ୮ ସିଲିଣ୍ଡର ଦେବାକୁ ଘୋଷଣା…

ନୂଆଦିଲ୍ଲୀ, ୩।୧ : ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ। ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ନା ନା ପ୍ରକାର ପ୍ରତିଶ୍ରୁତି ପ୍ରଦାନ ଜାରି ରହିଛି। ରାଜ୍ୟରେ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ବର୍ଷା ହେବାରେ ଲାଗିଛି। ଏହି ମର୍ମରେ କଂଗ୍ରେସ ପକ୍ଷରୁ ରାଜ୍ୟ ଅଧ୍ୟକ୍ଷ ନଭଜୋତ ସିଂ ସିଦ୍ଧୁଙ୍କ ପକ୍ଷରୁ ମହିଳା ଭୋଟର ପାଇଁ ନୂଆ ଘୋଷଣା କରାଯାଇଛି। ରାଜ୍ୟରେ କଂଗ୍ରେସ ସରକାର ଗଠନ ହେଲେ ପ୍ରତି ମହିଳାଙ୍କୁ ମାସକୁ ୨ ହଜାର ଟଙ୍କା ପ୍ରଦାନ କରାଯିବା ସହିତ ବର୍ଷରେ ୮ଟି ସିଲିଣ୍ଡର ଯୋଗାଇ ଦିଆଯିବ।

ଏହା ସହିତ ପଞ୍ଚମ ପାଶ ବାଳିକାଙ୍କୁ ୫ ହଜାର, ଦଶମ ପାଶ ବାଳିକାଙ୍କୁ ୧୫୦୦୦ ଏବଂ ଦ୍ୱାଦଶ ପାଶ ବାଳିକାଙ୍କୁ ୨୦ ହଜାର ଟଙ୍କାର ସହାୟତା ଦେବାକୁ କହିଛନ୍ତି। କଲେଜରେ ପଢୁଥିବା ବାଳିକାଙ୍କୁ ସ୍କୁଟି ଏବଂ ବିଦେଶ ପାଠ ପଢ଼ିବାକୁ ଯାଉଥିବା ବାଳିକାଙ୍କୁ ଟାବଲେଟ ପ୍ରଦାନ କରାଯିବ ବୋଲି ସିଦ୍ଧୁ କହିଛନ୍ତି। ଝିଅମାନଙ୍କ ନାମରେ ପୈତୃକ ସମ୍ପତ୍ତି, ଘରୋଇ କାମ ପାଇଁ ମହିଳାମାନଙ୍କୁ ଦୁଇ ଲକ୍ଷ ଟଙ୍କା ଋଣ ବିନା ସୁଧରେ ପ୍ରଦାନ କରାଯିବ।

କଂଗ୍ରେସର ମହିଳାକର୍ମୀଙ୍କୁ ଉପହାର ପ୍ରଦାନ,୫ ଏକରରୁ କମ ଜମିଥିବା କୃଷକ ଏବଂ ଶ୍ରମିକଙ୍କୁ ପ୍ରତିଦିନ ୪୦୦ ଟଙ୍କା ପ୍ରଦାନ କରାଯିବ। କଂଗ୍ରେସ ପ୍ରତ୍ୟେକ ଗ୍ରାମରେ ମହିଳା କମାଣ୍ଡୋ ବାଟାଲିୟନ ଗଠନ କରିବ। ପ୍ରତ୍ୟେକ ଗାଁରେ ଏହି ବାଟାଲିୟନରେ ଦୁଇଜଣ ମହିଳାଙ୍କୁ ରଖାଯିବ ବୋଲି ସିଦ୍ଧୁ କହିଛନ୍ତି।

ଏହା ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟି (ଏପିପି) ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ରାଜ୍ୟରେ ଦଳ ସରକାର ଗଠନ କଲେ ପ୍ରତି ମହିଳାଙ୍କୁ ମାସକୁ ହଜାରେ ଟଙ୍କା ସହୟତା ପ୍ରଦାନ ଘୋଷଣା କରି ସାରିଛନ୍ତି।

Share