୭ରୁ ପ୍ରାକ୍‌ ମୌସୁମୀ ବର୍ଷା

ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜ୍ୟରେ ଏବେ ତାପମାତ୍ରା ଅଧିକ ରହୁଥିବାବେଳେ ବିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ଜାରି ରହିଛି। ଶୁକ୍ରବାର ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଥିଲା। ତେବେ ଆଗକୁ ପାରଦ ତଳକୁ ଖସିବ। ଆସନ୍ତା ୧୧ ତାରିଖରେ ଉତ୍ତର ବଙ୍ଗୋପସାଗର, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏଥିସହ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାର ଅଧିକାଂଶ ସ୍ଥାନକୁ ଆଗୁଆ ଆସିବାର ସମ୍ଭାବନା ଥିବାରୁ ୭ ତାରିଖରୁ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହେବ। ୭ ତାରିଖରେ ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ୧୦ ଜିଲାରେ ଝଡ଼ବର୍ଷା ସହିତ ବଜ୍ରପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି। ୯ ତାରିଖରେ ମଧ୍ୟ ବିଭିନ୍ନ ଜିଲାରେ ବର୍ଷା ହେବ ଓ ୧୯ ଜିଲାକୁ ଝଡ଼ବର୍ଷା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର।

Share