ଖଲ୍ଲିକୋଟ୍‌ରେ ୧୪୪ ଧାରା ଜାରି

ଖଲ୍ଲିକୋଟ,୧୭ା୫(ପ୍ରଶାନ୍ତ କୁମାର ମିଶ୍ର):ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇଛି ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ। ରାଜନୈତିକ ହିଂସାରେ ଜଣେ ଭାଜପା କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମର ଦିଲ୍ଲୀପ ପାହାନ ଓ ଗୁରୁତର ଆହତମାନେ ହେଲେ ଜିତେନ୍ଦ୍ର ପାହାନ, ବାପୁଜୀ ପାହାନ, ଅଭି ପାହାନ, ସୁଦର୍ଶନ ପାହାନ, କାର୍ତ୍ତିକ ପରିଡ଼ା। ଏହି ଘଟଣାକୁ ନେଇ ପୋଲିସ ଓ ଜନସାଧାରଣ ମୁହଁାମୁହିଁ ହୋଇଛନ୍ତି। ଉତ୍ତେଜିତ ଲୋକେ ଥାନା ଘେରାଉ କରିବା ସହିତ ପୋଲିସ ଓ ଗିରଫ ଅଭିଯୁକ୍ତଙ୍କୁ ଟେକା ପଥର ମାଡ଼ କରିଛନ୍ତି। ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ପାଲଟା ଲାଠିଚାର୍ଜ କରିଛି। ଏଥିରେ କେତେଜଣ ପୋଲିସ କର୍ମଚାରୀ ଓ ସାଧାରଣ ଲୋକ ଆହତ ହୋଇଛନ୍ତି। ଉତ୍ତେଜନାକୁ ପ୍ରଶମିତ କରିବାକୁ ପ୍ରଶାସନ ଘଟଣାସ୍ଥଳରେ ୧୪୪ ଧାରା ଜାରି କରିଛି। ଏହି ଘଟଣାରେ ପୋଲିସ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅପରପକ୍ଷରେ ହିଂସାକାଣ୍ଡ ପଛରେ ଖଲ୍ଲିକୋଟର ଦିବଂଗତ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପୁତୁରାଙ୍କ ହାତ ଥିବା ଭାଜପା ଅଭିଯୋଗ କରିଛି।
ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରେ ଆସନ୍ତା ୨୦ତାରିଖରେ ଭୋଟ ଗ୍ରହଣ ହେବ। ଏଥିପାଇଁ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ବୁଧବାର ରାତିରେ ଭାଜପା କର୍ମୀମାନେ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ନିର୍ବାଚନ ପୋଷ୍ଟର ମାରୁଥିଲେ। ଏହାକୁ କିଛି ବିଜେଡି କର୍ମୀ ବିରୋଧ କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇ ସଂଘର୍ଷ ଘଟିଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ଖଣ୍ଡାରେ ହଣାହଣି ହୋଇ ୬ଜଣ ଗୁରୁତର ହୋଇଥିଲେ। ଗୁରୁତରମାନେ ହେଲେ ଭାଜପା ନେତା ରାମ ପାହାନଙ୍କ ଦୁଇ ପୁତ୍ର ଦିଲ୍ଲୀପ ପାହାନ ଓ ଜିତେନ୍ଦ୍ର ପାହାନ, ଦିଲ୍ଲୀପଙ୍କ ଶଳା ବାପୁଜୀ ପାହାନ, ସମ୍ପର୍କୀୟ ଦାଦା ଅଭି ପାହାନ ଏବଂ ବିଜେଡି କର୍ମୀ ସୁଦର୍ଶନ ପାହାନ, କାର୍ତ୍ତିକ ପରିଡ଼ା। ସେମାନଙ୍କୁ ସ୍ଥାନୀୟ ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅଧିକ ଚିକିତ୍ସା ପାଇଁ ଦିଲ୍ଲୀପଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ରାତିରେ ଖଲ୍ଲିକୋଟ ଥାନା ଘେରାଉ କରିବା ସହିତ ଧାରଣାରେ ବସିଥିଲେ। ଗୁରୁବାର ହିଂସା ଉଗ୍ରରୂପ ଧାରଣ କରିଥିଲା। ଖଲ୍ଲିକୋଟ ଥାନା ସମ୍ମୁଖରେ ମୃତକଙ୍କ ପରିବାର ଓ ହଜାର ହଜାର ଭାଜପା କର୍ମୀଙ୍କ ସହିତ ସାଧାରଣ ଜନତା ଧାରଣାରେ ବସିଥିଲେ। ଏଥିସହିତ ଆସିକା-ଭୁବନେଶ୍ୱର ରାଜ୍ୟ ରାଜପଥକୁ ଭାଜପା କର୍ମୀମାନେ ଅବରୋଧ କରିଥିଲେ। ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ବାସଭବନ ସମ୍ମୁଖରେ ରଖାଯାଇଥିବା ତାଙ୍କ ବ୍ୟକ୍ତିଗତ ବୋଲେରୋ, ବିଧାୟିକାଙ୍କ ପ୍ରଚାର ଗାଡ଼ି, ଗୋଟିଏ କାର ଏବଂ ୪ଟି ବାଇକ୍‌କୁ ଉତ୍ତେଜିତ ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ପୋଲିସକୁ ଦାୟୀ କରିବା ସହିତ ବିଜେଡି ନେତା ଦୈତାରୀ ବେହେରାଙ୍କ ବିରୋଧରେ ଭାଜପା କର୍ମୀମାନେ ନାରା ଦେଇଥିଲେ। ଖଲ୍ଲିକୋଟ ଭାଜପା ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠି ଓ ଆସିକା ଏମପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ, ଭାଜପା ନେତା ମହେଶ ମହାନ୍ତି ପ୍ରମୁଖ ଥାନାକୁ ଆସି ଏସ୍‌ପିଙ୍କ ସହ ଆଲୋଚନା କରିଥିଲେ। ପୋଲିସ ଉତ୍ତେଜନା ପରିସ୍ଥିତିକୁ ପ୍ରଶମିତ କରିବାକୁ ୮ଜଣ ଅଭିଯୁକ୍ତ ବାନାମ୍ବର ପ୍ରଧାନ ଓରଫ ବାନା (୩୮), କୁମାର ତରେଇ (୨୮), ସମୀର ସାହୁ (୨୨), ଶ୍ରୀକାନ୍ତ ପ୍ରଧାନ (୨୧), ମନୁଆ ତରେଇ (୩୨), କନ୍ଧ ତରେଇ (୫୮), ମନୋଜ କୁମାର ପ୍ରଧାନ (୨୭), ଦୀପକ ନାହାକ (୨୦)ଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଥାନାକୁ ଆଣୁଥିବା ବେଳେ ଉତ୍ତେଜିତ ଲୋକେ ଅଭିଯୁକ୍ତ ଓ ପୋଲିସଙ୍କୁ ଟେକା, ପଥର ଓ ପାଣି ବୋତଲ ମାଡ଼ କରିଥିଲେ। ପୋଲିସ ମଧ୍ୟ ପାଲଟା ଲାଠି ଚାଳନା କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଗୋଡ଼େଇ ଗୋଡ଼େଇ ଲୋକମାନଙ୍କୁ ପିଟିବା ସହ ଥାନା ସମ୍ମୁଖରେ ରଖାଯାଇଥିବା ବହୁ ବାଇକ, ସ୍କୁଟି ଓ କାର୍‌ଗୁଡିକୁ ଲାଠିରେ ବାଡ଼େଇ ଓ ପଥରରେ ଛେଚି ଭାଙ୍ଗି ଦେଇଥିଲା। ଫଳରେ ଲୋକମାନେ ଛତ୍ରଭଙ୍ଗ ଦେଇଥିଲେ। ପରେ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଥିଲା। ଖବର ପାଇ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା, ଅତିରିକ୍ତ ଏସପି, ଏସ୍‌ଡିପିଓ ଗୌରହରି ସାହୁ, ବିଡିଓ, ତହସିଲଦାର ପ୍ରମୁଖ ପହଞ୍ଚି ସ୍ଥିତି ଉପରେ ସମୀକ୍ଷା କରିଥିଲେ। ପୋଲିସ ଉପରକୁ ପଥର ମାଡ଼ ଘଟଣାରେ ୫ ଜଣ ଭାଜପା କର୍ମୀଙ୍କୁ ଥାନାରେ ଅଟକ ରଖାଯାଇଥିବା ଥାନା ଅଧିକାରୀ ନରେଶ କୁମାର ସାହୁ କହିଛନ୍ତି। ଗୁରୁବାର ରାତିରେ ଅନ୍ୟ ଜଣେ ଅବିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି।