Categories: ବାଣିଜ୍ୟ

ଇ-କମର୍ସରେ ପାର୍ବଣ ବିକ୍ରି ୨୨ ହଜାର କୋଟି

ନୂଆଦିଲ୍ଲୀ: ପାର୍ବଣ ଉପଲକ୍ଷେ ବିଭିନ୍ନ ଇ-କମର୍ସ କମ୍ପାନୀରେ ସେଲ୍‌ ଜାରି ରହିଛି। ଗତ ୫ଦିନରେ କମ୍ପାନୀଗୁଡିକ ୨୨ ହଜାର କୋଟି ଟଙ୍କାର ସାମଗ୍ରୀ ବିକ୍ରି କରିଥିବା ରେଡସିର କନ୍‌ସଲଟିଂ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି। ପ୍ରଥମ ପର୍ଯ୍ୟାୟ ପୂଜା ସେଲ୍‌ରେ ଆମାଜନ, ଫ୍ଲିପ୍‌କାର୍ଟ,ସ୍ନାପ୍‌ଡିଲ ଏବଂ ମିନ୍ତ୍ରା ଭଳି ଅନ୍ୟ କମ୍ପାନୀ ପ୍ରାୟ ୨୮ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର କରିବେ ବୋଲି ଆକଳନ କରାଯାଇଛି। ଗତ ବର୍ଷ କଥା ତୁଳନା କଲେ ଚଳିତ ବର୍ଷ ଫେଷ୍ଟିସ ସେଲ୍‌ର ପ୍ରାରମ୍ଭିକ କିଛିଦିନ କାରବାରକୁ ଜୋର୍‌ଦାର ରେସ୍‌ପନ୍ସ ମିଳିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ଅନ୍‌ଲାଇନରେ ବିକ୍ରି ଅଭିବୃଦ୍ଧି ଜୋର୍‌ଦାର ହେଉଥିବା ଏଥିରୁ ଅନୁମାନ କରିହେବ। ଏହି ସମୟରେ କମ୍ପାନୀଗୁଡିକ ଗ୍ରାହକଙ୍କୁ ଭଲ ଅଫର ଦେଉଛନ୍ତି। ଟିୟର-୨ ସହରଗୁଡ଼ିକରେ ମୋବାଇଲ ଫୋନ ଅର୍ଡର ଉନ୍ନତ ରହିଛି। ଲକ୍‌ଡାଉନ ପରେ ଏହି ବର୍ଗରେ ଲୋକମାନେ ବେଶି ଅର୍ଡର କରୁଥିବା ନଜରକୁ ଆସିଛି। ଚଳିତ ବର୍ଷ ଫ୍ଲିପ୍‌କାର୍ଟର ବିଗ୍‌ ବିଲିୟନ ଡେଜ ଅକ୍ଟୋବର ୧୬ରୁ ୨୧ ଯାଏ ରହିଥିବା ବେଳେ ମିନ୍ତ୍ରାର ବିଗ୍‌ ଫ୍ୟାଶନ ଫେଷ୍ଟିଭାଲ ଅକ୍ଟୋବର ୧୬ରୁ ୨୨ଯାଏ ଉପଲବ୍ଧ।
ସେହିଭଳି ଆମାଜନର ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ ଅକ୍ଟୋବର ୧୭ରୁ ଆରମ୍ଭ ହୋଇଛି। ଏହା ପ୍ରାୟ ମାସେ ଯାଏ ଚାଲିବ। ଆମାଜନ ପ୍ଲାଟ୍‌ଫର୍ମରେ ୧.୧ ଲକ୍ଷ ସେଲର ରହିଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। ଏମାନେ ୨୪ ଘଣ୍ଟା ଅର୍ଡର ଲାଭ କରୁଛନ୍ତି। ଛୋଟ ଛୋଟ ସହରରେ ଏହି ସେଲରମାନେ ରହିଥିବା କମ୍ପାନୀ ସୂଚନା ଦେଇଛି। କମ୍ପାନୀଗୁଡିକ କେତେ ସଂଖ୍ୟକ ଅର୍ଡର ଲାଭ କରିଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପାର୍ବଣରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ କାରବାର ହେବା ନେଇ ଆକଳନ କରାଯାଇଛି। ସେହିଭଳି ସ୍ନାପ୍‌ଡିଲର ଫେଷ୍ଟିଭ ସିଜନ ଚଳିତ ମାସ ୨୦ ତାରିଖ ଯାଏ ଉପଲବ୍ଧ ରହିଥିଲା।

Share