ବଙ୍ଗୋପସାଗରରେ ଅବପାତ: ୪ରେ ଉପକୂଳ ଛୁଇଁବ ବାତ୍ୟା

ଭୁବନେଶ୍ୱର,୧।୧୨:ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନଠାରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଅବପାତରେ ପରିଣତ ହୋଇଛି। ଏହାପରେ ଅବପାତ ଆହୁରି ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବ। ଡିସେମ୍ବର ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ୪ ତାରିଖ ସକାଳେ ସାମୁଦ୍ରିକ ଝଡ଼ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହାର ପ୍ରଭାବରେ ୫ରୁ ୭ ତାରିଖ ଯାଏ ଦକ୍ଷିଣ, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ବିଶେଷ କରି ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଭଦ୍ରକ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ବାତ୍ୟା ଯୋଗୁ ଉପକୂଳରେ ୫୦ରୁ ୬୦ କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି।
ଲଘୁଚାପ ପ୍ରଭାବରେ ଡିସେମ୍ବର ୧ ତାରିଖରୁ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ୨ ତାରିଖରେ ପବନର ବେଗ ଘଣ୍ଟା ପ୍ରତି ୭୦ କିମି ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଡିସେମ୍ବର ୧ରୁ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଛନ୍ତି, ତୁରନ୍ତ କୂଳକୁ ଫେରି ଆସିବାକୁ କୁହାଯାଇଛି।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କୃଷକମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ପାଚିଲା ଧାନକୁ କାଟି ଖଳାକୁ ଆଣିବା ଲାଗି ପରାମର୍ଶ ଦିଆଯାଇଛି। ମେଘୁଆ ପାଗ ଯୋଗୁ ସମ୍ଭାବ୍ୟ ରୋଗପୋକ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ତେବେ ପବନକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ର ଅଶାନ୍ତ ରହିବା ବେଳେ କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ।

Share