ଅବପାତ ରୂପ ନେବ ଲଘୁଚାପ

ଭୁବନେଶ୍ୱର, ୮ା୧୦(ବ୍ୟୁରୋ):ଆଣ୍ଡାମାନ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୯ ତାରିଖରେ ଲଘୁଚାପରେ ପରିଣତ ହେବ। ତାହାର ୨୪ ଘଣ୍ଟା ପରେ ଏହା ଅବପାତ(ଡିପ୍ରେସନ)ର ପରିଣତ ହେବାର ସମ୍ଭାବନା ରହିଛି। ଅବପାତ ଆସନ୍ତା ୧୧ ତାରିଖ ସନ୍ଧ୍ୟାରେ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଆସନ୍ତା ୧୧ ଓ ୧୨ ତାରିଖରେ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡା ଏବଂ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ପୁରୀ, କନ୍ଧମାଳ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାର୍ନିଂ ଜାରି କରାଯାଇଛି। ଅବପାତ ଯୋଗୁ ଉପକୂଳରେ ଘଣ୍ଟାକୁ ୪୫ରୁ ୫୦ କି.ମି. ବେଗରେ ପବନ ବହିପାରେ। ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନେ ଆସନ୍ତା ୧୦ ତାରିଖ ପୂର୍ବରୁ କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ୧୧ ତାରିଖରେ ସମୁଦ୍ରକୁ ନ ଯିବା ଲାଗି ମଧ୍ୟ ସତର୍କ କରାଯାଇଛି। ଆସନ୍ତା ୩ ଦିନ ଯାଏ ରାଜ୍ୟରେ ବର୍ଷା ହେବାର କୌଣସି ସୂଚନା ନାହିଁ।

Share