କୋଭିଡ ଟୀକାକରଣ ପାଇଁ ପୂର୍ବାଭାସ: ଡ୍ରାଏ ରନ୍‌ରେ ଯୋଗଦେଲେ ୨୫ ଜଣ

ବଲାଙ୍ଗୀର ଅଫିସ,୨।୧: ଜାନୁୟାରୀ ପହିଲାରୁ କରୋନା ଟୀକାକରଣକୁ ନେଇ ସର୍ବସାଧାରଣରେ ଅନେକ ଆଶା ଓ ଉତ୍ସୁକତା ଦେଖାଦେଇଛି ା ଶନିବାର ବଲାଙ୍ଗୀର କନ୍ଧପାଲିପଡା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ କୋଭିଡ-୧୯ ଟୀକାକାରଣ ପାଇଁ ଡ୍ରାଏ-ରନ୍‌ ବା ପୂର୍ବାଭାସ କାର୍ଯ୍ୟକ୍ରମ ସମାପ୍ତ ହୋଇଛି। ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଡିଏମ୍‌ଓ ଡା. ଭୀମ ସାହୁ, ଏଡିପିଚ୍‌ଓ ଡା. ଦିବ୍ୟକିଶୋର ପତି, ଏନ୍‌ଏଚ୍‌ଏମ୍‌ ଡିପିଏମ୍‌ ମୃତ୍ୟୁଞ୍ଜୟ ମୁଣ୍ଡ, ଆଞ୍ଚଳିକ ଟୀକା ଏବଂ ଶୀତଳ ଶିକୁଳୀ(ରିଜିଓନାଲ ଭେକ୍‌ସିନ୍‌ ଆଣ୍ଡ କୋଲ୍ଡ ଚେନ୍‌) ପରିଚାଳକ ପିଟରସନ୍‌ ଭୋଇ, ଆସିଷ୍ଟାଣ୍ଡ ପ୍ରୋଗ୍ରାମ୍‌ ମ୍ୟାନେଜର ରାମାନୁଜ୍‌ ପଣ୍ଡା, ଇମ୍ୟୁନାଇଜେସନ୍‌ କମ୍ପ୍ୟୁଟର ଆସିଷ୍ଟାଣ୍ଡ ସୁଦାମ ପଧାନ ଉପସ୍ଥିତ ଥିଲେ। କୋଭିଡ ଟୀକାକରଣ ସକାଶେ ପୂର୍ବାଭାସ କାର୍ଯ୍ୟକ୍ରମ ପାଇଁ ପ୍ରଥମେ ୨୫ ଜଣ କୋଭିଡ ଯୋଦ୍ଧାଙ୍କୁ ନିୟମାନୁଯାୟୀ ମୋବାଇଲ ଯୋଗେ ବାର୍ତ୍ତା ପଠାଯାଇଥିଲା। ମୋବାଇଲ ବାର୍ତ୍ତା ଅନୁଯାୟୀ ସେମାନେ କୋଭିଡ ଟୀକାଦାନ କେନ୍ଦ୍ରରେ ପହଞ୍ଚତ୍ଥିଲେ । ସେଠାରୁ ପର୍ଯ୍ୟାୟକ୍ରମେ ଜଣେ ଜଣେ କରି ଟୀକାଦାନ ଗୃହକୁ ନିଆଯାଇଥିଲା। ଟୀକାଦାନ ପରେ ପାର୍ଶ୍ୱପ୍ରତିକ୍ରିୟା ନିରୀକ୍ଷଣ ପାଇଁ ତିଆରି ହୋଇଥିବା ନିରୀକ୍ଷଣ ଗୃହ (ଅବ୍‌ଜାରଭେସନ୍‌ ରୁମ୍‌)କୁ ନିଆଯାଇଥିଲା। ସେଠାରେ ଅଧଘଣ୍ଟା ପର୍ଯ୍ୟନ୍ତ ଟୀକା ନେଇଥିବା ବ୍ୟକ୍ତିଙ୍କୁ ନିରୀକ୍ଷଣ ପାଇଁ ରଖାଯାଇଥିଲା। କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଲେ କିଭଳି ଚିକିତ୍ସା କରାଯିବ ସେଥିପାଇଁ ପ୍ରସ୍ତୁତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ପ୍ରସ୍ତୁତି କରିଥିଲେ। ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୧ ହଜାର କୋଭିଡ ଯୋଦ୍ଧାଙ୍କୁ ଟୀକାକରଣ କରାଯିବ। ସେ ସମସ୍ତଙ୍କ ପଞ୍ଜୀକରଣ ସରିଛି ା ବଲାଙ୍ଗୀରରେ ଥିବା ଆଞ୍ଚଳିକ ଟୀକା ଭଣ୍ଡାରରୁ ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି ଓ ନୂଆପଡା ଜିଲାକୁ ଟୀକା ଯୋଗାଣ କରାଯିବ। ଟୀକା ପାଇଁ ଆବଶ୍ୟକ ଶୀତଳ ଶିକୁଳୀ ପରିଚାଳନା କିଭଳି ଠିକ୍‌ ଭାବେ ହୋଇପାରିବ ସେନେଇ ମଧ୍ୟ ସୁବ୍ୟବସ୍ଥା ହୋଇଛି। ଡ୍ରାଏ-ରନ୍‌ ସଫଳତାର ସହ ସମ୍ପନ୍ନ ହେବା ପରେ ଅତିରିକ୍ତ ଜିଲାପାଳ ଲାଗୁରୀ ସମସ୍ତ ଟୀକାକରଣ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଯେକୌଣସି ସମୟରେ କୋଭିଡ ଟୀକା ପହଞ୍ଚତ୍ଲେ କିଭଳି ସୁଚାରୁରୂପେ ଟୀକାଦାନ ସମ୍ପନ୍ନ ହୋଇପାରିବ ସେଦିଗରେ ସମୀକ୍ଷା କରାଯାଇଥିଲା। ଟୀକାଦାନ ପାଇଁ ଜିଲାର ସମସ୍ତ ସ୍ବାସ୍ଥ୍ୟକର୍ମୀ ପ୍ରସ୍ତୁତ ରହିଥିବା ସିଡିଏମ୍‌ଓ ଡା ସାହୁ ସୂଚନା ଦେଇଛନ୍ତି।

Share