ଭୁବନେଶ୍ୱର,୪।୯(ବ୍ୟୁରୋ): ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ମାସିକ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ଗରିବ କଲ୍ୟାଣ ଯୋଜନାଗୁଡ଼ିକରେ ଅଗ୍ରାଧିକାର ମିଳିବ। ଯେକୌଣସି ଗରିବ କଲ୍ୟାଣ କାର୍ଯ୍ୟକ୍ରମ ବା ଯୋଜନାର ହିତାଧିକାରୀ ଚୟନବେଳେ ଜାତୀୟ ସାମାଜିକ ସୁରକ୍ଷା ଯୋଜନା (ଏନ୍ଏସ୍ଏପି)ର ହିତାଧିକାରୀଙ୍କ ଡାଟାବେସ୍ରୁ ସେମାନଙ୍କ ଯୋଗ୍ୟତାକୁ ଦେଖି ସାମିଲ କରିବାକୁ ରାଜ୍ୟ ସରକାର ଶନିବାର ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ମୋଟ ୨୦.୩୭ ଲକ୍ଷ ହିତାଧିକାରୀ ବିଶେଷ ଉପକୃତ ହୋଇପାରିବେ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅଗଷ୍ଟ ୨୩ ତାରିଖରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏନ୍ଏସ୍ଏପି ଗାଇଡ୍ଲାଇନର ଅଷ୍ଟମ ଅନୁଚ୍ଛେଦ ସମ୍ପର୍କରେ ସ୍ମରଣ କରାଇବା ସହ ବିଭିନ୍ନ ଗରିବ କଲ୍ୟାଣ ଯୋଜନାର କାର୍ଯ୍ୟକାରୀ ବେଳେ ଏହି ମାସିକ ଭତ୍ତା ନେଉଥିବା ହିତାଧିକାରୀ (ଏନଏସ୍ଏପି) ଯେଭଳି ସ୍ବତଃ ସେସବୁ କାର୍ଯ୍ୟକ୍ରମର ହିତାଧିକାରୀ ହେବେ ସେ ଦିଗରେ ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛିି । ଏହି ମାସିକ ଭତ୍ତାଧାରୀଙ୍କ ସାମାଜିକ, ଅର୍ଥନୈତିକ ଓ ସ୍ବାସ୍ଥ୍ୟଗତ ସ୍ଥିତିକୁ ଦୃଷ୍ଟିରେ ରଖି ସେମାନେ ଯେପରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମରେ ହିତାଧିକାରୀ ଭାବେ ସ୍ବତଃ ସାମିଲ ହୋଇପାରିବେ ତାହା ସୁନିଶ୍ଚିତ କରିବାକୁ ମନ୍ତ୍ରଣାଳୟ କହିଛି।