ପୁରୁଣା ଦୋକାନୀଙ୍କୁ ଅଗ୍ରାଧିକାର ଦିଆଯିବ

ଭୁବନେଶ୍ୱର, ୨୪।୧ (ବ୍ୟୁରୋ):ଆସନ୍ତା ୨୮ ତାରିଖରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ ହେବ। ଦିନ ପାଖେଇ ଆସୁଥିବାବେଳେ ପ୍ରସ୍ତୁତି ଓ ଆୟୋଜନ ଜୋର୍‌ସୋରରେ ଚାଲିଛି। ବିଶେଷକରି ମେଳାକୁ କିପରି ସୁବ୍ୟବସ୍ଥିତ କରାଯିବ ସେ ନେଇ ବିଏମ୍‌ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କିଛିଦିନ ତଳେ ବିଏମ୍‌ସି ପକ୍ଷରୁ ଯାତ୍ରା ପରିବେଷଣ ନେଇ ଏସ୍‌ଓପି ଜାରି କରାଯାଇଥିବାବେଳେ ଏବେ ମେଳାରେ ହେବାକୁ ଥିବା ଅସ୍ଥାୟୀ ଦୋକାନ ବା ଷ୍ଟଲଗୁଡିକ ପାଇଁ ଏସ୍‌ଓପି ଜାରି କରାଯାଇଛି। ଦୋକାନ ଆବଣ୍ଟନ ପାଇଁ ବିଏମ୍‌ସି ପକ୍ଷରୁ ସ୍ଥାନୀୟ ଖବରକାଗଜ, ବିଏମ୍‌ସି ଓ୍ବେବ୍‌ସାଇଟ ଏବଂ ଜୋନ୍‌ ଅଫିସ୍‌ରେ ଲୋକଙ୍କୁ ସଚେତନ କରାଯିବ ବା ବିଜ୍ଞପ୍ତି ପ୍ରକାଶ ପାଇବ। ଆଗ୍ରହୀ ବ୍ୟକ୍ତିମାନେ ଆବଶ୍ୟକ କାଗଜପତ୍ର ଯଥା ଆଧାରକାର୍ଡ, ଗତବର୍ଷ ମେଳାରେ ଆବଣ୍ଟିତ ହୋଇଥିବା ଦୋକାନର ରସିଦ୍‌ ଏବଂ ୨ଟି ଦସ୍ତଖତ ଥିବା ପାସପୋର୍ଟ ସାଇଜ୍‌ ଫଟୋ ସହ ଆବେଦନ କରିବେ। ତେବେ ଯେଉଁମାନେ ପୂର୍ବରୁ ମେଳାରେ ଦୋକାନ ବା ଷ୍ଟଲ ପକାଇଥିବେ ସେମାନଙ୍କୁ ପ୍ରାଥମିକତା ଦିଆଯିବ। ସେହିପରି ଦୋକାନ ଚୟନ ପରେ ତୁରନ୍ତ ଦୋକାନୀଙ୍କୁ ଲାଇସେନ୍ସ ଫି’ ଜମା କରିବାକୁ ପଡିବ। ଫି’ ଜମା ନ କଲେ ଲାଇସେନ୍ନ କ୍ୟାନ୍‌ସେଲ କରାଯିବା ସହ ନୂତନ ଆବେଦନକାରୀଙ୍କୁ ଆଲଟ୍‌ମେଣ୍ଟ କରାଯିବ। ସେହିପରି ଖାଦ୍ୟସାମଗ୍ରୀ ଦୋକାନ ଦେବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ବିଏମ୍‌ସି ସିଟି ହେଲ୍‌ଥ ଅଧିକାରୀଙ୍କଠାରୁ ଫୁଡ୍‌ ଲାଇସେନ୍ସ ଆଣିବାକୁ ପଡିବ। ମେଳା ସରିବା ପର୍ଯ୍ୟନ୍ତ ବିଏମ୍‌ସି ଅଧିକାରୀମାନେ ଖାଦ୍ୟର ମାନ ପରୀକ୍ଷା କରିବେ। ତେଣୁ ଉନ୍ନତମାନର ଖାଦ୍ୟ ପରିବେଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ସମସ୍ତ ଦୋକାନୀ ବିଦ୍ୟୁତ୍‌ ସଂଯୋଗ ପାଇଁ ଇଲେକ୍ଟ୍ରିସିଟି ବିଭାଗରୁ ଅନୁମତି ଆଣିବେ। ସେହିଭଳି ନିଜ ଦୋକାନ ଆଖପାଖ ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଏସ୍‌ଓପିରେ ନିର୍ଦ୍ଦେଶ ଦିଆଯାଇଛି।

Share