ଖଟିଆରେ ୩ କିଲୋମିଟର ବୁହାହେଲେ ଗର୍ଭବତୀ

କୋକସରା,୩ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରୁ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଚିତ୍ର। କୋକସରା ବ୍ଲକ ଆମପାଣି ପଞ୍ଚାୟତର ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଗିରଳିମାଲ ଗାଁକୁ ଭଲ ରାସ୍ତା ଟିଏ ନ ଥିବାରୁ ଗାଁକୁ ଯାଇ ପାରି ନ ଥିଲା ଆମ୍ବୁଲାନ। ଶନିବାର ସନ୍ଧ୍ୟାରେ ଗାଁର ଲିଙ୍ଗୁରୁ ଖିଲୋଙ୍କ ଗର୍ଭବତୀ ସ୍ତ୍ରୀ ଦୀପାଳି ଖିଲୋ (୨୪)ଙ୍କ ପ୍ରସବ ବେଦନା ଆରମ୍ଭ ହେବା ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଗର୍ଭବତୀ ମହିଳାଙ୍କୁ ଆଣିବା ପାଇଁ ଯାଇଥିବା ଆମ୍ବୁଲାନ୍ସ ଗାଁ ୩ କିମି ପୂର୍ବରୁ ଆଉ ଯାଇ ପାରିଲା ନାହିଁ । ଅନ୍ୟପଟେ ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳାଙ୍କୁ କର୍ମଚାରୀମାନେ କୌଣସି ଉପାୟ ନ ପାଇ ମାନବିକତା ଦେଖାଇ ଦୀର୍ଘ ୩ କିଲୋମିଟର ଷ୍ଟ୍ରେଚାରେ ବୋହି ଆଣିଲେ। ପରେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ। ତେବେ ଗର୍ଭବତୀ ମହିଳାଙ୍କର ରକ୍ତହୀନତା ଥିବା କାରଣରୁ ତାଙ୍କୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣାକୁ ସ୍ଥାନାନ୍ତର କରିଥିଲେ। ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଦେବେନ୍ଦ୍ର ନାଏକ, କର୍ମଚାରୀ ବୈବସୁତ ଛତ୍ରିଆ, ବେଲାଳସେନ ନାଏକଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Share