ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ତେଲକୋଇ,୨୨ା୯(ରଞ୍ଜିତ ବିଶ୍ୱାଳ): ଗାଁକୁ ରାସ୍ତା ନ ଥିବାରୁ ପହଞ୍ଚତ୍ପାରିଲାନି ଆମ୍ବୁଲାନ୍ସ। ଫଳରେ ଖଟିଆରେ ବୁହାହୋଇ ୧ କିଲୋମିଟର ଗଲେ ଗର୍ଭବତୀ। ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍‌ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ତାଳପଦା ପଞ୍ଚାୟତ ଅଧୀନ ଗୁରୁମ ଚାନ୍ଦପଶି ମୁଣ୍ଡାସାହିରୁ। ଘଟଣା ଅନୁଯାୟୀ, ଗ୍ରାମର ଧୁବେଇ ମୁଣ୍ଡାଙ୍କ ସ୍ତ୍ରୀ ମାମି ମୁଣ୍ଡା (୨୩)ଙ୍କ ଗର୍ଭଯନ୍ତ୍ରଣା ଆରମ୍ଭ ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ଆମ୍ବୁଲାନ୍ସ ଆସି ତାଳପଦା ହାଇସ୍କୁଲ ନିକଟରେ ଅଟକିଥିଲା। କାଦୁଅ ରାସ୍ତା ଯୋଗୁ ଗାଁକୁ ଆସିବାକୁ ଡ୍ରାଇଭର ମନା କରିଥିଲେ। ଫଳରେ ବାଧ୍ୟ ହୋଇ ଧୁବେଇ ଗାଁ ଲୋକଙ୍କ ସହାୟତାରେ ସ୍ତ୍ରୀଙ୍କୁ ଖଟିଆରେ କାନ୍ଧେଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇବା ପରେ ତାଙ୍କୁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ବେଳେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ତେଲକୋଇ ଅଞ୍ଚଳରେ ଏଭଳି ଜନନୀ ଯନ୍ତ୍ରଣା ସମ୍ପର୍କିତ ଖବର ପ୍ରକାଶ ପାଇଥିବା ବେଳେ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି।