ସ୍ତ୍ରୀଙ୍କୁ ଭାଉଜ, ଝିଅକୁ ଝିଆରୀ କହୁଥିଲେ ପ୍ରେମିକ: ଧାରଣା ଦେଲେ ଗର୍ଭବତୀ ପ୍ରେମିକା

ପାପଡ଼ାହାଣ୍ଡି,୧୮ା୫(ଡି.ଏନ୍‌.ଏ.): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ୭ ବର୍ଷ ହେଲା ପ୍ରେମିକାଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ। ଏବେ ପ୍ରେମିକା ୭ ମାସର ଗର୍ଭବତୀ ହେବା ପରେ ହାତ ଛାଡ଼ି ଦେଇଛନ୍ତି ପ୍ରେମିକ ଜଣକ। ସେପଟେ ଗର୍ଭବତୀ ଯୁବତୀଙ୍କୁ ଘରେ ପୂରାଉ ନ ଥିବାରୁ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଛନ୍ତି ପ୍ରେମିକା। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଘାଟଗୁଡ଼ା ପଞ୍ଚାୟତ ଛତ୍ରବର ଗାଁରେ ଏଭଳି ଘଟଣା ଘଟିଛି। ଦୀର୍ଘ ୧୫ ଦିନ ହେଲା ନ୍ୟାୟ ପାଇଁ ପ୍ରେମିକା ବାରଦ୍ୱାର ବୁଲୁଥିବା ବେଳେ ଏବେ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଛନ୍ତି।

ସୂଚନାନୁଯାୟୀ, ପାପଡ଼ାହାଣ୍ଡି ଥାନା ଘାଟଗୁଡ଼ା ପଞ୍ଚାୟତ ଛତ୍ରଭର ଗାଁର ଲାଇଜର ଖରା ନାମକ ଜଣେ ବିବାହିତ ବ୍ୟକ୍ତି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଖାତିଗୁଡ଼ା ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଲାଇଜର ବିବାହିତ ହୋଇଥିଲେ ମଧ୍ୟ ନିଜ ସ୍ତ୍ରୀକୁ ଭାଉଜ ଏବଂ ଝିଅକୁ ଝିଆରୀ ବୋଲି ମିଛ କହି ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ତେବେ ଯୁବତୀ ଜଣଙ୍କ ବିବାହ କରିବାକୁ ଜିଦ୍‌ କରିବାରୁ ଲାଇଜର ପାପଡ଼ାହାଣ୍ଡି ଗାଁରେ ଏକ ମାସ ଓ ପରେ ଉମରକୋଟସ୍ଥିତ ଡଙ୍ଗରିସାହିରେ ଥିବା ତାଙ୍କ ଭଉଣୀ ଘରେ ୨ ବର୍ଷ ରଖିଥିଲେ। ଏହାପରେ ଡାବୁଗାଁର ସୁଧାର ଗୃହରେ ଏକ ମାସ ରଖିବା ପରେ ଏବେ ନିଜ ଘରକୁ ନେଇ ଆସିଥିଲେ। ହେଲେ ଲାଇଜରର ପରିବାର ଲୋକେ ଯୁବତୀଙ୍କୁ ଘରେ ପୂରାଇ ଦେଇ ନ ଥିଲେ। ତାଙ୍କର ସମସ୍ତ ଲୁଗାପଟା ବାହାରେ ଫିଙ୍ଗି ଦେଇଥିଲେ। ଫଳରେ ଗର୍ଭବତୀ ଯୁବତୀ ଲାଇଜରଙ୍କ ଘର ଆଗରେ ଧାରଣା ଦେଇଛନ୍ତି। ସେପଟେ ଲାଇଜର ଘର ଛାଡ଼ି ଫେରାର୍‌ ହୋଇଯାଇଛନ୍ତି।

ତେବେ ଗତ ୧୫ ଦିନ ହେବ ଯୁବତୀ ଜଣଙ୍କ ନ୍ୟାୟ ପାଇଁ ବାରଦ୍ୱାର ବୁଲୁଥିବା ଦେଖିବାକୁ ମିଳିଛି। ଖବର ପାଇ ମା’ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ ଧାରଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ଯୁବତୀ ଜଣକ ଆସନ୍ତାକାଲି ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିବେ ବୋଲି କହିଛନ୍ତି।

Share