Advertisement

ନଦୀ ପାର ହେଲେ ଗର୍ଭବତୀ, ମହାନତା ଦେଖାଇଲେ ଗ୍ରାମବାସୀ

ମାଲକାନଗିରି,୨୪ା୮(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଲଙ୍କାଗାଁରେ ଜଣେ ଗର୍ଭବତୀଙ୍କୁ ନଦୀ ପାର କରି ଗ୍ରାମବାସୀ ମହାନତା ଦେଖାଇଛନ୍ତି॥ ମାଓବାଦୀ ପ୍ରବଣ ଲଙ୍କାପଲ୍ଲୀ ଗାଁରେ ନା ଅଛି ମେଡିକାଲ ସୁବିଧା ନା ଅଛି ରାସ୍ତା। ମାଓବାଦୀଙ୍କ ଭୟରେ ସେହି ଅଞ୍ଚଳରେ ବିକାଶର ଚିତ୍ର ଏକପ୍ରକାର ଅପହଞ୍ଚ ହୋଇ ରହିଛି। ବୋଝ ଉପରେ ନଳିତବିଡ଼ା ସଦୃଶ ଏବେ ବନ୍ୟା ଦାଉ ସାଧିଛି। ତେବେ ଗର୍ଭବତୀ ଜଣଙ୍କ ୪ ଦିନ ଯନ୍ତ୍ରଣାରେ ଛଟପଟହେଉଥିବା ବେଳେ ଏହାକୁ ଗାଁ ଲୋକେ ଦେଖି ନଦୀର ପ୍ରଖର ବନ୍ୟାଜଳ ସ୍ରୋତ ସତ୍ତ୍ୱେ ମାନବ ଶୃଙ୍ଖଳା କରି ପ୍ରସବ ମହିଳାଙ୍କୁ ପାର କରିଥିଲେ। ଗାଁ ଲୋକେ ନିଜ ହାତକୁ ବନେଇ ଦେଇଥିଲେ ଷ୍ଟ୍ରେଚର। ତେବେ ମହିଳା ଜଣଙ୍କୁ ୯କିମି ଆଣିବା ପରେ ନିକଟସ୍ଥ ଚିଲମିଡ଼ି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ମହିଳାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିବାରୁ ତାଙ୍କୁ ବିଜାପୁର ମେଡିକାଲଙ୍କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ନବଜାତ ଶିଶୁକୁ ବଞ୍ଚେଇ ପାରି ନ ଥିଲେ ଡାକ୍ତର। ଡାକ୍ତରଙ୍କ କହିବା କଥା ମା’ ଗର୍ଭରୁ ଶିଶୁଟିର ମୃତ୍ୟୁ ହୋଇସାରିଥିଲା। ତେବେ ଏଭଳି ଖବର ପାଇବା ପରେ ଗାଁ ଲୋକେ ନିରାଶ ହୋଇ ଯାଇଥିଲେ। ପ୍ରଥମ ସନ୍ତାନକୁ ଗାଁ ଲୋକ ଆପ୍ରାଣ ଚେଷ୍ଟା କରିଥିଲେ ମଧ୍ୟ ବଞ୍ଚାଇ ପାରି ନ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel