୪ କିମି ଭାରରେ ବୁହା ହେଲେ ଗର୍ଭବତୀ

ଚିତ୍ରକୋଣ୍ଡା,୫ା୯(ଡି.ଏନ.ଏ.): ଏବେବି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇ ରହିଛି। ଉପଯୁକ୍ତ ସଚେତନତା ଓ ବିଭିନ୍ନ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ପରାମର୍ଶର ଅଭାବ ଯୋଗୁ ବିଭିନ୍ନ ସମୟରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ଏଇଭଳି ଏକ ଘଟଣା ଘଟିଛି ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ କପାତୁଟି ପଞ୍ଚାୟତର ତିଆଲୁମା ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମକୁ ରାସ୍ତା ନାହିଁ। କେବଳ ଛୋଟଛୋଟ ପାହାଡି ଝରଣା ଦେଇ ଯାତାୟାତ କରିବାକୁ ହୁଏ। ଗ୍ରାମର ମାରଗେଲ ଆମୟାଙ୍କ ସ୍ତ୍ରୀ ମାରଗେଲ ଲଛମି ଗର୍ଭବତୀ ଥିଲେ। ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଓ ଗ୍ରାମବାସୀ ବହୁ କଷ୍ଟରେ ଆମ୍ବୁଲାନ୍ସକୁ ଡାକିଥିଲେ। ମାତ୍ର ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି କପାତୁଟିଠାରେ ରହିଥିଲା। ପରିବାର ଲୋକେ ଓ ପଡୋଶୀ ତାଙ୍କୁ ତିଆଲୁମାମୁଡିରୁ ବେଡ଼ସିଟରେ ଭାର କରି ଗର୍ଭବତୀଙ୍କୁ ବୋହିବୋହି ୪ କମି ଦୂରରେ କପାତୁଟିରେ ଥିବା ଆମ୍ବୁଲାନ୍ସକୁ ଆଣିଥିଲେ। ସେଠାରୁ ତାଙ୍କୁ ପାପୁଲୁର ପେଟାଲ ମେଡିକାଲକୁ ପରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଲୟକୁ ନେଇଥିଲେ। ସେଠାରେ ପ୍ରସବ ପରେ ଏକ ମୃତ ସନ୍ତାନ ମିଳିଥିଲା। ଫଳରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିଲେ।

Share