ଗର୍ଭବତୀ ସ୍ତ୍ରୀଙ୍କୁ କରୋନା ହେବାରୁ ସ୍ବାମୀ କଲେ ଏପରି…

ଲକ୍ଷ୍ନୌ, ୨୦।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପରିସ୍ଥଳେ ଲୋକଙ୍କ ମନରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତନ ଆସିଛି। ଏହା କରୋନା ସଂକ୍ରମଣ ପ୍ରତି ଭୟ ଯୋଗୁ ସୃଷ୍ଟି ହେଉଥିବା କୁହାଯାଉଛି। ଏହାର ସଦ୍ୟତମ ଉଦାହରଣ ଉତ୍ତରପ୍ରଦେଶରରେ ଘଟିଛି। ଏଠାରେ ଜଣେ କରୋନା ସଂକ୍ରମିତ ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ବାମୀ ଚିହ୍ନି ନ ଥିବା କହିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବା ସହିତ ସୋସିଆଲ୍‌ ମିଡ଼ିଆରେ ମଧ୍ୟ ଏହା ଭାଇରାଲ ହେବାରେ ଲାଗିଛି। ସ୍ତ୍ରୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ରାମମନୋହର ଲୋହିଆ ହସ୍ପିଟାଲରେ ଜୁଲାଇ ୪ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ସ୍ବାମୀ ହସ୍ପିଟାଲରୁ ଲୁଚି ପଳାଇ ଯାଇଥିଲେ। ପରେ ହସ୍ପିଟାଲ ପକ୍ଷରୁ ଫୋନ୍‌ ନମ୍ବରରେ କଲ୍‌ କରାଯିବାରୁ ସ୍ବାମୀ ଗର୍ଭବତୀଙ୍କୁ ଚିହ୍ନି ନ ଥିବା କହିଥିଲେ। ଗର୍ଭବତୀଙ୍କ ନବଜାତ ଶିଶୁର ଡେଲିଭରୀ ସମୟରେ ହିଁ ମୃତ୍ୟୁ ଘଟିଥିଲା। ଗର୍ଭବତୀ ୮ ଦିନ ହସ୍ପିଟାଲରେ ରହି କରୋନା ସହିତ ଲଢ଼େଇରେ ବିଜୟୀ ହୋଇ ବାପଘରକୁ ଚାଲିଯାଇଥିବା କୁହାଯାଉଛି। ଇନ୍ଦିରା ନଗରରେ ବାସ କରୁଥିବା ୨୪ ବର୍ଷ ବୟସ୍କା ଏହି ମହିଳାଙ୍କ ନାମ ହିନା। ସେ ୨୦୧୯ରେ ଚାନ୍ଦନ ଗାଁ ନିବାସୀ ଫକରୁଲ୍‌ଙ୍କୁ ବିବାହ କହିଥିଲେ। ଏବେ ସେ କୋର୍ଟର ଆଶ୍ରୟ ନେବେ ବୋଲି କହିଛନ୍ତି।

Share