ଅଭାବନୀୟ ଘଟଣା: ଶୌଚ ଯାଇଥିବାବେଳେ ପ୍ରସବ କଲେ ମହିଳା, ଜଙ୍ଗଲୀ ଜନ୍ତୁଙ୍କ ଶିକାର ହେଲା ନବଜାତ

ଆଗ୍ରା, ୨୪।୬- ଉତ୍ତର ପ୍ରଦେଶର ଆଗ୍ରା ସହରରୁ ସମସ୍ତଙ୍କୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ପିନାହଟ ଥାନା ଅନ୍ତର୍ଗତ ଯୋଧପୁର ଗ୍ରାମରେ ଶିଳ୍ପି ଚୌହାନ ନାମକ ଜଣେ ଗର୍ଭବତୀ ମହିଳା ପଦାକୁ ଶୌଚ ହେବାକୁ ଯାଇଥିବାବେଳେ ହଠାତ୍‌ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହି ସମୟରେ ସେ ଏକ ସନ୍ତାନ ପ୍ରସବ କରିଥିଲେ ମଧ୍ୟ ସଙ୍ଗେ ସଙ୍ଗେ ଚେତା ହରାଇ ପଡ଼ିଥିଲେ। ତେବେ ମହିଳା ଜଣଙ୍କ ଚେତା ହରାଇଥିବାବେଳେ ସ୍ଥାନୀୟ ଜଙ୍ଗଲୀ ଜନ୍ତୁ ନବଜାତ ଶିଶୁକୁ ଭିଡ଼ି ନେଇଯାଇଥିବା ଜଣାପଡ଼ିଛି। ବହୁ ସମୟ ପର୍ଯ୍ୟନ୍ତ ମହିଳା ଜଣଙ୍କ ଘରକୁ ନ ଫେରିବାରୁ ପରିବାର ସଦସ୍ୟ ଖୋଜିବା ଆରମ୍ଭ କରିଦେଇଥିଲେ। ଦୁଇ ଘଣ୍ଟାପରେ ପରିବାର ଲୋକ ମହିଳାଙ୍କୁ ଶେଷରେ ଠାବ କରିଥିଲେ ଏବଂ ତାଙ୍କ ପ୍ରସବ ହୋଇଯାଇଥିବା ଜାଣିବାକୁ ପାଇଥିଲେ। କିନ୍ତୁ ନବଜାତ ସନ୍ତାନର କୌଣସି ସନ୍ଧାନ ମିଳି ନ ଥିଲା। ଏହାପରେ ସେମାନେ ଅଚେତ ଅବସ୍ଥାରେ ମହିଳାଙ୍କୁ ଘରକୁ ନେଇଆସିଥିଲେ। ମହିଳାଙ୍କର ଏହା ଦ୍ୱିତୀୟ ସନ୍ତାନ ଥିଲା। ମହିଳା ଜଣଙ୍କ କହିଛନ୍ତି, ଶୌଚ ହେବାକୁ ଯାଇଥିବାବେଳେ ଯନ୍ତ୍ରଣା ଅନୁଭବ କରିଥିଲି ଏବଂ ଏକ ସନ୍ତାନ ପ୍ରସବ ହୋଇଥିଲା। କିନ୍ତୁ ଏହାପରେ ମୋତେ ଦୁର୍ବଳ ଲାଗିବା ସହ ଚେତା ବୁଡ଼ିଯାଇଥିଲା। ଏଠାରେ ପ୍ରକାଶଯୋଗ୍ୟ, ଶିଳ୍ପିଙ୍କ ପରିବାରକୁ ଛାଡ଼ିଦେଲେ ଏହି ଗ୍ରାମରେ ସମସ୍ତଙ୍କ ଘରେ ଶୌଚାଳୟ ରହିଛି। କିନ୍ତୁ ଶିଳ୍ପି ଓ ତାଙ୍କ ସ୍ବାମୀ ଏଠାକାର ସ୍ଥାନୀୟ ବାସିନ୍ଦା ହୋଇ ନ ଥିବାରୁ ସରକାରଙ୍କ ମାଗଣା ଶୌଚାଳୟ ଯୋଜନାରୁ ବଞ୍ଚତ୍ତ ହୋଇଥିଲେ।

Share