ଆମ୍ବୁଲାନ୍ସ ପାଇଁ ଅଧକିଲୋମିଟର ଚାଲିଲେ ଗର୍ଭବତୀ

ଚୌଦ୍ୱାର,୨୨।୮(ଡି.ଏନ୍‌.ଏ): ଲଘୁଚାପ ବର୍ଷା ଯୋଗୁ ଟାଙ୍ଗୀ-ଚୌଦ୍ୱାର ବ୍ଲକର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକଙ୍କ ସମସ୍ୟା ବଢିଯାଇଛି। ଫଳରେ ଲୋକେ ଘରୁ ବାହାରିପାରୁ ନ ଥିବାବେଳେ ରୋଗୀ ନେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ସାହି ଭିତରକୁ ପଶିପାରୁ ନାହିଁ। ଏହି ସମୟରେ ଗାଁକୁ ଆମ୍ବୁଲାନ୍ସ ନ ଯିବାରୁ ଜଣେ ଗର୍ଭବତୀଙ୍କୁ ପ୍ରାୟ ଅଧକିଲୋମିଟର ରାସ୍ତା ଚାଲିଚାଲି ଆସିବାକୁ ପଡିଥିଲା। ଏଭଳି ଘଟଣା ଶୁକ୍ରବାର ନପଙ୍ଗ ପଞ୍ଚାୟତର ବିରୋଳ ଗ୍ରାମରେ ଦେଖିବାକୁ ମିଳିଛି। ଗତ କିଛିଦିନ ଲଗାଣ ବର୍ଷା ଲାଗିରହିଥିବାରୁ ବିରୋଳ ଗ୍ରାମରେ ବର୍ଷା ଜଳ ଜମି ରହିଥିଲା। ଗ୍ରାମକୁ ପକ୍କା ରାସ୍ତା ନ ଥିବାରୁ ପାଣି ଜମିବା ସହ ଲୋକଙ୍କ ଘରେ ମଧ୍ୟ ପାଣି ପଶିରହିଥିଲା। ଯଦ୍ଦ୍ବାରା ଲୋକମାନେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ବର୍ଷା ଜଳ ରହିବା ଦ୍ୱାରା ବିଭିନ୍ନ ଥଣ୍ଡା ରୋଗ ଓ ଚର୍ମ୍‌ ରୋଗର ହେବାର ଗ୍ରାମବାସୀ ଆଶଙ୍କା କରିଛନ୍ତି। ତେବେ ଶୁକ୍ରବାର ବିରୋଳ ଗ୍ରାମର ଗୋପାଳ ସାହିର ରତ୍ନାକର ବେହେରାଙ୍କ ସ୍ତ୍ରୀ ବାସନ୍ତୀଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଗାଡ଼ି ଗ୍ରାମ ପର୍ଯ୍ୟନ୍ତ ଆସିଥିଲେ ମଧ୍ୟ ମୁଖ୍ୟରାସ୍ତାରେ ଅଟକି ଯାଇଥିଲା। ଗ୍ରାମ ଭିତରକୁ ଯିବା ପାଇଁ ବର୍ଷା ଜଳରେ ରାସ୍ତା ଭର୍ତ୍ତି ହୋଇଯାଇଥିବାରୁ ଡ୍ରାଇଭର ଗାଡ଼ି ଆଗକୁ ନେଇ ନ ଥିଲେ। ଫଳରେ ପରିବାର ଲୋକେ ବାସନ୍ତୀଙ୍କୁ ଆମ୍ବୁଲାନ୍ସ ପାଖକୁ ଯିବା ପାଇଁ ଅଧକିଲୋମିଟର ପର୍ଯ୍ୟନ୍ତ ଚାଲିଥିଲେ। ତେବେ ଏହି ଘଟଣାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଜଳ ନିଷ୍କାସନ ପାଇଁ ସାଧାରଣରେ ଦାବି କରିଛନ୍ତି। ଏଥିପାଇଁ ପ୍ରଶାସନ ନିକଟରେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଏଯାବତ୍‌ ନିଆଯାଇ ନ ଥିବା ଗ୍ରାମର ବାସନ୍ତୀ ଦାସ, ଶାନ୍ତିଲତା ଲେଙ୍କା, ମୋହନି ଚରଣ ଲେଙ୍କା, ପ୍ରଦୀପ ବେଉରା ପ୍ରମୁଖ କହିଛନ୍ତି। ଏ ନେଇ ସରପଞ୍ଚ ସନାତନ ସ୍ବାଇଁ କହିଛନ୍ତି, ଏ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ଅର୍ଥ ଆସିଥିଲେ ମଧ୍ୟ କେତେଜଣ ଲୋକ ସରକାରୀ ଜମି ଉପରେ ଜବରଦଖଲରେ ରହୁଥିବାରୁ କାମ ହୋଇପାରୁ ନାହିଁ। ଏହି କଥା ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବ।

Share