ଗର୍ଭବତୀଙ୍କୁ ଖୁବ୍‌ଶୀଘ୍ର ଟିକା

ଭୁବନେଶ୍ୱର, ୨ା୭(ବ୍ୟୁରୋ):ରାଜ୍ୟରେ ଏଣିକି ଗର୍ଭବତୀଙ୍କୁ ଦିଆଯିବ ଟିକା। ଏ ନେଇ ଗୁରୁବାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗର୍ଭବତୀଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶ ଆସିଛି। ତେଣୁ ରାଜ୍ୟରେ ଖୁବ୍‌ଶୀଘ୍ର ତାହା ଆରମ୍ଭ କରାଯିବ। ସେପଟେ ଗୁରୁବାର ଆଉ ୧ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା ଭୁବନେଶ୍ୱରରେ ଆସି ପହଞ୍ଚତ୍ଛି। ଶୁକ୍ରବାର ଆଉ ୧୦ଲକ୍ଷ ଡୋଜ୍‌ ଟିକା ଆସିବାର ସମ୍ଭାବନା ରହିଛି। ସେହିପରି ସିରମ ଇନଷ୍ଟିଚ୍ୟୁଟ୍‌ରୁ ୮ ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା ଆସିପାରେ ବୋଲି ମହାପାତ୍ର କହିଛନ୍ତି।
ରାଜ୍ୟରେ ଟିକା ନ ଥିବାରୁ ଗୁରୁବାର ୧୬ ଜିଲାରେ ଟିକାକରଣ ବନ୍ଦ ରହିଥିଲା। ସରକାରଙ୍କ ପାଖରେ ମାତ୍ର ୧୯,୫୨୦ଡୋଜ୍‌ କୋଭିଶିଲ୍ଡ ଟିକା ଥିବାରୁ କେବଳ ୧୨୩ କେନ୍ଦ୍ରରେ ଟିକାକରଣ ହୋଇଥିଲା। ତେବେ ଗୁରୁବାର ୧ ଲକ୍ଷ ଟିକା ପହଞ୍ଚତ୍ଥିବାରୁ ବର୍ତ୍ତମାନ ରାଜ୍ୟରେ ୧,୧୪,୬୬୦ ଡୋଜ୍‌ କୋଭିଶିଲ୍ଡ ଏବଂ ୪,୪୨,୧୩୦ ଡୋଜ୍‌ କୋଭାକ୍ସିନ ଟିକା ଗଚ୍ଛିତ ରହିଛି। ଶୁକ୍ରବାର ରାଜ୍ୟର ୧୦୨ କେନ୍ଦ୍ରରେ ଟିକାକରଣ ହେବ, ଯେଉଁଥିରେ କେବଳ ଭୁବନେଶ୍ୱରରେ ୬୯ କେନ୍ଦ୍ର ରହିଛି। ତେବେ ୧୭ ଜିଲା ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ରାୟଗଡ଼ା ଓ ସୋନପୁରରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସେପଟେ ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ତୃତୀୟ ଲହର ପୂର୍ବରୁ ଟିକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ କେନ୍ଦ୍ର ସରକାର ଟିକା ଯୋଗାଣରେ ବିଳମ୍ବ କରୁଥିବାରୁ ଲକ୍ଷ୍ୟ ଅନୁଯାୟୀ ଦୈନିକ ୩ଲକ୍ଷ ଟିକାକରଣ ହୋଇପାରୁନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୦୮୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୫ଜଣଙ୍କ ମୃତ୍ୟୁ ଘଟିଛି।

Share