ନୂଆଦିଲ୍ଲୀ, ୨୬।୨: ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବଂ କଂଗ୍ରେସର କେରଳ ୟୁନିଟ୍ ମଧ୍ୟରେ ମଙ୍ଗଳବାର ଏକ୍ସ’ରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିଲା। ପ୍ରୀତି ଭାଜପାକୁ ତାଙ୍କ ସୋସିଆଲ ମିଡିଆ ଆଇଡି ଚଳାଇବା ପାଇଁ ଦେଇଛନ୍ତି ଏବଂ ଏହା ବଦଳରେ ନ୍ୟୁ ଇଣ୍ଡିଆ କୋଅପ୍ରେଟିଭ ବ୍ୟାଙ୍କ ପକ୍ଷରୁ ତାଙ୍କର ୧୮ କୋଟି ଟଙ୍କାର ଋଣ ଛାଡ଼ କରାଯାଇଛି ବୋଲି ସୋମବାର କେରଳ କଂଗ୍ରେସର ଅଫିସିଆଲ ଏକ୍ସ’ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରାଯାଇଥିଲା। ଆର୍ଥିକ ଅନିୟମିତତା ଦର୍ଶାଇ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଆର୍ବିଆଇ) ନ୍ୟୁ ଇଣ୍ଡିଆ କୋଅପ୍ରେଟିଭ ବ୍ୟାଙ୍କର ବୋର୍ଡକୁ ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଜମାକାରୀମାନେ ସେମାନଙ୍କ ଝାଳବୁହା ଧନ ଫେରିପାଇବାକୁ ରାସ୍ତାରେ ପଡ଼ି ରହିଥିବା ବେଳେ ପ୍ରୀତି ଚତୁରତାର ସହ ନିଜ ୧୮ କୋଟିର ଋଣ ଛାଡ଼ କରାଇ ନେଇଥିବା କଂଗ୍ରେସ କହିଥିଲା। ତେବେ ମଙ୍ଗଳବାର ପ୍ରୀତି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରୀତି ଲେଖିଛନ୍ତି, ସେ ଆଉ କାହାରିକୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଚଳାଇବାକୁ ଦେଇ ନାହାନ୍ତି। ତାଙ୍କର କୌଣସି ଲୋନ୍ ଛାଡ଼ କରାଯାଇନାହିଁ। ସେ ପୂର୍ବରୁ ଲୋନ୍ ନେଇଥିଲେ, ଯାହାକୁ ୧୦ ବର୍ଷ ତଳେ ପରିଶୋଧ କରିସାରିଥିବା କହିଛନ୍ତି।