Categories: ଜାତୀୟ

ଇସଲାମରେ ବିବାହ ପୂର୍ବ ଶାରୀରିକ ସମ୍ପର୍କ ନିଷେଧ, ଏହାକୁ ପ୍ରୋତ୍ସାହିତ କରାଯାଇପାରିବ ନାହିଁ, ଲିଭ-ଇନ ପାର୍ଟନରଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ …

ଲକ୍ଷ୍ନୌ,୨୫।୬ : ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏକ ଲିଭ-ଇନ ସମ୍ପର୍କ ଉପରେ ଦାଖଲ ହୋଇଥିବା ପିଟିଶନ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏଥିରେ ଇସଲାମରେ ବିବାହର ନିୟମକୁ ଦର୍ଶାଯାଇଛି। କୋର୍ଟ କହିଛନ୍ତି ଇସଲାମରେ ବିବାହ ପୂର୍ବ ଶାରୀରିକ ସମ୍ପର୍କ ନିଷେଧ, ଏହାକୁ ପ୍ରୋତ୍ସାହିତ କରାଯାଇପାରିବ ନାହିଁ।
ବାସ୍ତବରେ, ଲିଭ-ଇନ ସମ୍ପର୍କରେ ରହୁଥିବା ଏକ ଦମ୍ପତି ପୋଲିସର ନିର୍ଯାତନାରୁ ମୁକ୍ତି ପାଇବାକୁ ହାଇକୋର୍ଟରେ ପହଞ୍ଚିଥିଲେ। କିନ୍ତୁ, ଇସଲାମିକ ନିୟମ ଦର୍ଶାଇ ହାଇକୋର୍ଟ ଏହାକୁ ମନା କରି ଦେଇଛନ୍ତି।

ରାୟରେ କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଇସଲାମରେ ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖିବାକୁ ଅନୁମତି ନାହିଁ। ଆହୁରି ମଧ୍ୟ, ଚୁମ୍ବନ, ଛୁଇଁବା ଏବଂ ଏପରିକି ଦେଖିବା ଭଳି କର୍ଯ୍ୟକୁ ବିବାହ ପୂର୍ବରୁ ଅନୁମତି ଦିଏ ନାହିଁ ।

ଆହ୍ଲାବାଦ ହାଇକୋର୍ଟ ଲକ୍ଷ୍ନୌ ବେଞ୍ଚର ଜଷ୍ଟିସ ସଂଗୀତା ଚନ୍ଦ୍ର ଏବଂ ଜଷ୍ଟିସ ନରେନ୍ଦ୍ର କୁମାର ଜୋହରୀଙ୍କ ଏକ ଡିଭିଜନ ବେଞ୍ଚ କହିଛନ୍ତି ବିବାହ ପୂର୍ବରୁ ଇସଲାମ ଆଇନ ଯୌନ ସମ୍ପର୍କକୁ ସ୍ବୀକୃତି ଦେଇ ନାହିଁ। ପୋଲିସର ସୁରକ୍ଷା ପାଇଁ ଦମ୍ପତିଙ୍କ ଆବେଦନ ଉପରେ ଏହି ନିଷ୍ପତ୍ତି ନିଆଯାଇଛି। ମହିଳାଙ୍କ ମାଆଙ୍କ ପକ୍ଷରୁ ଏଫଆଇଆର୍‌ କରାଯିବା ପରେ ପୋଲିସ ସେମାନଙ୍କୁ ହଇରାଣ କରୁଥିବାର ଅଭିଯୋଗ ହୋଇଥିଲା। ସେ ସେମାନଙ୍କର ଲିଭ ଇନ ସମ୍ପର୍କକୁ ନେଇ ଅସନ୍ତୁଷ୍ଟ ଥିଲେ। ଲିଭ-ଇନ ସମ୍ପର୍କ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଏହି ଦମ୍ପତି ଦର୍ଶାଇଛନ୍ତି। ଏହା ଉପରେ ହାଇକୋର୍ଟର ବେଞ୍ଚ କହିଛନ୍ତି ଏଭଳି ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ମତାମତକୁ ବିଚାର କରାଯାଇପାରିବ ନାହିଁ।

Share