ଅବସର ପୂର୍ବ ଓ ପରର ପ୍ରସ୍ତୁତି

ଜନ୍ମ ଓ ମୃତ୍ୟୁ ଯେଭଳି ଅକାଟ୍ୟ ସତ୍ୟ, ସେଭଳି ଚାକିରିର ନିର୍ଦ୍ଧାରିତ ଅବଧି ପରେ ଅବସର ନେବା ବା ସେବା ନିବୃତ୍ତ ହେବା ନିଶ୍ଚିତ। ତେଣୁ ଚାକିରି ସରିବା ବେଳେ ଅଧୀର ଓ ଅଧୈର୍ଯ୍ୟ ହେବା ଅନୁଚିତ। ଏହା ସତ୍ୟ ଯେ ଚାକିରି ସମୟ ଓ ପରର ଅବସ୍ଥା ଭିତରେ ଅନେକ ଭିନ୍ନତା ରହିଛି। ଚାକିରି ସମୟରେ ଗୋଟିଏ ପ୍ରକାର ବ୍ୟବସ୍ଥିତ ଜୀବନ ଜିଇବାକୁ ପଡ଼େ। ଠିକ୍‌ ସମୟରେ କାର୍ଯ୍ୟାଳୟରେ ପହଞ୍ଚତ୍ବା, ଦିନତମାମ ନିଜ ସରକାରୀ ବା ବେସରକାରୀ କାମରେ ବ୍ୟସ୍ତ ରହିବା ଓ ସମ୍ପୂର୍ଣ୍ଣ ବ୍ୟସ୍ତବହୁଳ ଜୀବନ ବିତେଇବା ଇତ୍ୟାଦି। ସେତେବେଳେ ବନ୍ଧୁ ଅନେକ, କିନ୍ତୁ ସମୟ ଅଭାବରୁ ସମ୍ପର୍କ କମ୍‌, ମାନେ ସମ୍ପଦ ଅନେକ ହେଲେ ସମ୍ପର୍କ ନଗଣ୍ୟ।

ବହୁ ସମୟରେ ଦେଖାଯାଏ କି ଅନେକ ଲୋକ ସେବା ନିବୃତ୍ତ ପରେ ଅତ୍ୟନ୍ତ ନିରାଶ, ବିବସ ଓ ହତୋତ୍ସାହ ହୋଇପଡ଼ନ୍ତି। ଏପରିକି ସେମାନଙ୍କର ମାନସିକ ସନ୍ତୁଳନ ବିଗିଡ଼ିଯାଏ ଏବଂ ଶୀଘ୍ର ଦେହତ୍ୟାଗ କରିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏଭଳି ବିବସତାର କାରଣ ଅନେକ। ପ୍ରଥମତଃ ଦୈନନ୍ଦିନ କାର୍ଯ୍ୟରୁ ହଠାତ ଛୁଟି ହୋଇଯାଏ। ପୂର୍ବ ପ୍ରସ୍ତୁତି ଓ ଯୋଜନା ନ ଥିବାରୁ ସମୟ କିପରି କଟିବ ଭାବି ଭାବି ମାନସିକ ଦୁଶ୍ଚିନ୍ତାର ଶିକାର ହୁଅନ୍ତି। ଦ୍ୱିତୀୟରେ ପାରିଶ୍ରମିକ ଭାବରେ ପାଉଥିବା ମାସିକ ପାଉଣା ହଠାତ୍‌ ଅଧା ହୋଇଯାଏ ବା ପୂରା ଶୂନ୍ୟ ହୋଇଯାଏ। ବେଳେବେଳେ କାଗଜପତ୍ର ଠିକ୍‌ଠାକ୍‌ ନଥିବା ହେତୁ ଅବସର ଅନେକ ମାସ ବା ବର୍ଷ ପରେ ମଧ୍ୟ ପେନ୍‌ସନ ପାଇବାରେ ଜଟିଳତା ଦେଖାଦିଏ। ତୃତୀୟରେ ପଦବୀରେ ଥିବାବେଳେ ଯେଉଁ ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି ଥାଏ ତାହା କମିଯାଏ। ବିଶେଷକରି ନିଜ ଚାକିରି ଜୀବନରେ ଯଦି ପଦ ପଦବୀ ବା ଚୌକି ମାୟାରେ ଅନ୍ଧ ହୋଇ ଲୋକମାନଙ୍କୁ ହଇରାଣ ହରକତ କରିଥିବେ, ସାମାଜିକ ସମ୍ପର୍କ ରଖି ନ ଥିବେ, ତେବେ କଥା ସରିଲା। ଅବସର ପରେ କେହି ମୁହଁ ବି ଚାହିଁବେ ନାହିଁ। ଚତୁର୍ଥରେ ଯଦି ଚାକିରି ସମୟରେ ଦରମା ଛଡ଼ା ହାତଗୁଞ୍ଜା ନେବାର ଅଭ୍ୟାସ ଥାଏ, ତାହାହେଲେ ଅବସର ପରେ ଉପୁରିକୁ ଭାବିଭାବି ରକ୍ତଚାପ ବଢ଼ିବା ସମ୍ଭାବନା ବେଶି। ପଞ୍ଚମରେ ଚାକିରି କାଳରେ ଦିନ ରାତି ଫାଇଲ ଚାଷ କରି କରି ସିଂହ ଭାଗ ସମୟ ବିତିଯାଏ। ଫଳତଃ ନା ପରିବାରକୁ ସମୟ ଦେଇପାରେ ନା ପଡ଼ୋଶୀ ବା ଅନ୍ୟ ମାନଙ୍କୁ। ତେଣୁ ଅବସର ପରେ ସମୟ ଅତିବାହିତ କରିବା ପାଇଁ ସାଙ୍ଗସାଥୀର ଅଭାବ ଦେଖାଯାଏ। ଫଳତଃ ସମୟ ବିତେଇବା କଷ୍ଟକର ହୋଇପଡ଼େ ଓ ମାନସିକ ଅବସାଦ ବଢ଼େ। ଷଷ୍ଠରେ ଆଜିକାଲିର ପାରିବାରିକ ଜୀବନ ଅତ୍ୟନ୍ତ ଦୁର୍ବିଷହ। ଆଜିକାଲି ପୂର୍ବ ପରି ଯୌଥ ପରିବାର ବ୍ୟବସ୍ଥା ଆଉ ନାହିଁ। ସମସ୍ତେ ଆମେ ଦୁଇ ଆମର ଦୁଇ ବା ଏକ ନୀତିର ଗରାଖ। ତାହା ପୁଣି ଏକା ଏକା ରହିବାକୁ ଇଚ୍ଛା। ସମସ୍ତେ ରୋଜଗାର ପାଇଁ ବ୍ୟସ୍ତ। ମାଆବାପାମାନେ ନିଜ ପିଲାମାନେ କିପରି ଟଙ୍କା ଉତ୍ପାଦନ ଯନ୍ତ୍ର ହୋଇ କୋଟି କୋଟି ରୋଜଗାର କରିପାରିବେ, ସେଥିପାଇଁ ପ୍ରବଳ ଇଚ୍ଛୁକ ଓ ଉତ୍ସୁକ। ତେଣୁ ପିଲାମାନେ ବଡ଼ ବଡ଼ ଅନୁଷ୍ଠାନରେ ପାଠପଢି କିଭଳି ବଡ଼ ବଡ଼ ଡିଗ୍ରୀ ହାସଲ କରି ରାଜ୍ୟ ବା ଦେଶ ବାହାରେ କାମକରି ଟଙ୍କା ଗଦାରେ ବସିବେ, ସେଥିପାଇଁ ତତ୍ପର। ତେଣୁ ବାର୍ଦ୍ଧକ୍ୟ ସମୟରେ ପିଲାମାନେ ଦେଶବିଦେଶରେ ବା ଘରଠାରୁ ଅନେକ ଦୂରରେ । ଘରେ କେବଳ ବୁଢ଼ୀବୁଢ଼ାଙ୍କ ନିଃସଙ୍ଗ ଜୀବନ। ପିଲାମାନଙ୍କ ଦୟା ହେଲେ ଫୋନ୍‌ରେ ଦେଖାଦେଖି ବା ଗପାଗପି।

ଅପରପକ୍ଷରେ ଛୋଟ ପରିବାରରେ ରହି ସୁଖ ପାଇବା ନିଶାରେ ନିଜ ଝିଅପୁଅଙ୍କୁ ଗୁରୁତ୍ୱ ଦେଇ ନିଜ ମାଆବାପାଙ୍କୁ ଅବହେଳା କରିଥିଲେ, ନିଜ ପିଲାମାନେ ମଧ୍ୟ ମାଆବାପାଙ୍କୁ ସେମାନଙ୍କ ଶେଷ କାଳରେ ଅବହେଳା କରିବା ଆରମ୍ଭ କରିଦିଅନ୍ତି। ଫଳରେ ବୃଦ୍ଧାବୃଦ୍ଧ ମନସ୍ତାପ ଭିତରେ ମାନସିକ ଓ ଆବେଗିକ ସ୍ତରରେ ଭାଙ୍ଗି ପଡ଼ନ୍ତି। ଏଭଳି ଅନେକ କାରଣ ଅବସର ପରର ଅଶାନ୍ତ, ଅସନ୍ତୋଷ ତଥା ଦୁଃଖଦ ଜୀବନର ମୁଖ୍ୟ କାରଣ ହୋଇପାରେ। ତେବେ ଅବସର ପରର ଜୀବନକୁ ବ୍ୟବସ୍ଥିତ, ଶୃଙ୍ଖଳିତ, ସଙ୍ଗଠିତ ତଥା ସୁଖକର, ଶାନ୍ତିମୟ ଓ ଫଳପ୍ରଦ କରିବା ପାଇଁ ପୂର୍ବପ୍ରସ୍ତୁତି ନିତାନ୍ତ ପ୍ରୟୋଜନ। ନିମ୍ନରେ କେତେକ ଉପାୟ ସମ୍ବନ୍ଧରେ ଆଲୋଚନା କରାଗଲା।

ପ୍ରଥମତଃ ଅବସର ନେଇଥିବା ବ୍ୟକ୍ତି ନିଜକୁ ସମାଜର ସାଧାରଣ ମଣିଷ ଭଳି ବଞ୍ଚିବା ପାଇଁ ମାନସିକ ପ୍ରସ୍ତୁତି କରିବା ଉଚିତ। ମାନେ ସେବା ନିବୃତ୍ତ ହେବା ପରେ ମଧ୍ୟ ଅନେକ ଲୋକ ନିଜକୁ ଅଫିସର୍‌, କର୍ମଚାରୀ ବା ଚାକିରିରେ ଥିଲାବେଳେ ଯେଉଁ ଥାଟ ଥିଲା ସେମିତି ଭାବେ ନିଜକୁ ଗ୍ରହଣ କରିଥାନ୍ତି । କିନ୍ତୁ ଲୋକେ ତାଙ୍କୁ ସେଭଳି ଗ୍ରହଣ କରନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ। ଫଳରେ ଦୁଃଖୀ ହୁଅନ୍ତି। ଅଭିମାନ ଅବା କ୍ରୋଧ ପ୍ରକାଶ କରନ୍ତି, ଯାହାର କୌଣସି ମୂଲ୍ୟ ହିଁ ନ ଥାଏ। ତେଣୁ ଅବସର ପରେ ବ୍ୟକ୍ତି ଚାକିରିର ପୂର୍ବ ଅବସ୍ଥାକୁ ଆସିଯିବା ଉଚିତ। ବିଶେଷକରି ନିଜ କଲୋନୀ ବା ସାହି ବା ସମାଜରେ ସମସ୍ତଙ୍କ ସହ ମିଳିମିଶି ଚଳିବାକୁ ମାନସିକ ପ୍ରସ୍ତୁତି କରିପାରିଲେ ଆନନ୍ଦ ମିଳିପାରିବ। ଦ୍ୱିତୀୟରେ ଅବସର ପରେ ସମୟ କିପରି ଅତିବାହିତ କରିବେ ସେଥିପାଇଁ କର୍ମନିଯୁକ୍ତି ସମୟରେ ହିଁ ଯୋଜନା ବା ପୂର୍ବପ୍ରସ୍ତୁତି କରିବା ଦରକାର। ତୃତୀୟରେ ଫଳପ୍ରଦ ଅବସର ଜୀବନ ପାଇଁ କୌଣସି ଆଧ୍ୟାତ୍ମିକ ସଙ୍ଗଠନ ବା ସାମାଜିକ ସେବା ପ୍ରଦାନକାରୀ ଅନୁଷ୍ଠାନ(ଗୁଡ଼ିକ)ରେ ନିଜକୁ ନିୟୋଜିତ କରିବା ପାଇଁ ମାନସିକ ପ୍ରସ୍ତୁତି ଜରୁରୀ। ଚତୁର୍ଥରେ ସମାଜର ଅବହେଳିତ ଲୋକଙ୍କ ସେବା ପାଇଁ ନିଜକୁ ସଜାଗ କରାଇପାରିଲେ ନିଜର ସମୟ ସଫଳ ଭାବେ ଉପଯୋଗ ହେବ। ଷଷ୍ଠରେ ଅବସର ପରେ ପୁସ୍ତକ ପଠନ ଓ ଲିଖନରେ ନିଜକୁ ନିୟୋଜିତ କରାଯାଇପାରେ। କାରଣ ପୁସ୍ତକ ଭଳି ନିର୍ଭରଶୀଳ ଉପକାରୀ ବନ୍ଧୁ ଏ ଦୁନିଆରେ କେହି ନୁହେଁ। ପୁସ୍ତକ କେବଳ ଜ୍ଞାନ ସରଞ୍ଚନାର ଏକ ବିସ୍ତୀର୍ଣ୍ଣ ମାର୍ଗ ନୁହେଁ ବରଂ ଏହା ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବାର ଉପାୟ, ମନସ୍ତାପ ବେଳର ହସ ସଞ୍ଜିବନୀ, ଦୁଃଖଦ ଅବସ୍ଥାର ସମବେଦନା ଓ ସବୁ ସମସ୍ୟାର ସମାଧାନ ମନ୍ତ୍ର। ତେଣୁ ସେବା ନିବୃତ୍ତ ସମୟ ସୁଖମୟ ସହ ବ୍ୟବସ୍ଥିତ ଜୀବନ ଜିଇବାକୁ ହେଲେ ଅବସର ପୂର୍ବ ଓ ପରର ଯୋଜନାବଦ୍ଧ ପ୍ରସ୍ତୁତି ପ୍ରଣିଧାନଯୋଗ୍ୟ।

ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ ମୋ:୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଏତେ ଲୋଭ କ’ଣ ପାଇଁ

ଏବେ ପ୍ରାୟ ସବୁଦିନ ଖବରକାଗଜ ଲେଉଟାଇଲେ ଆଖିରେ ପଡ଼ୁଛି ‘ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ’ ନ ହେଲେ ‘ଲାଞ୍ଚ ନେଇ ବନ୍ଧାହେଲେ ସରକାରୀ ବାବୁ’ ଇତ୍ୟାଦି...

ମାନବ-ଜୀବଜାତି ସହାବସ୍ଥାନ

ଜନସଂଖ୍ୟାର ବିସ୍ଫୋରଣ, ଅତ୍ୟାଧୁନିକ ଜୀବନଶୈଳୀ, ବିକାଶ ପ୍ରକ୍ରିୟାର ନକାରାତ୍ମକ ପ୍ରଭାବ ଏବଂ ସହରାଞ୍ଚଳର ବିସ୍ତାର ପରିପ୍ରେକ୍ଷୀରେ ମଣିଷ ଓ ବନ୍ୟଜନ୍ତୁଙ୍କ ସମ୍ପର୍କ ଏକ ବିତର୍କର ପ୍ରସଙ୍ଗ...

ବିପରୀତ ନିଷ୍ପତ୍ତି

ଆଗକୁ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ଇଲେକ୍‌ସନ କମିଶନ ଅଫ୍‌ ଇଣ୍ଡିଆ (ଇସିଆଇ) ଏହି ୨ ରାଜ୍ୟରେ ପୋଲିସ ନିଯୁକ୍ତି ପରିଚାଳନାରେ...

ବିଶ୍ୱ ଖାଦ୍ୟ ସୂଚକାଙ୍କ ଓ ଭାରତ

ତବର୍ଷ ୨୦୨୪ର ବିଶ୍ୱ ଖାଦ୍ୟ ସୂଚକାଙ୍କ ବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତରେ କ୍ଷୁଧାର ପରିସ୍ଥିତି ଗମ୍ଭୀର ବୋଲି ଦର୍ଶାଯାଇଛି। ବିଶ୍ୱର ୧୨୭ଟି ଦେଶ ମଧ୍ୟରୁ...

ବିଶ୍ୱାସ ଓ ଅନ୍ଧବିଶ୍ବାସ

ପୁରାତନ ଲୋକକଥାଟିଏ। ଦିନେ ଜଣେ ଗୃହସ୍ଥଙ୍କ ଘରେ ବାର୍ଷିକ ଶ୍ରାଦ୍ଧ ପାଳନ କରାଯାଉଥାଏ। କୁଳ ପୁରୋହିତ ଶ୍ରାଦ୍ଧ ପାଇଁ ସଂଗୃହୀତ ସବୁ ସାମଗ୍ରୀକୁ ଦେଖିସାରି କର୍ମ...

ୟୁକ୍ରେନ୍‌ର ଭବିଷ୍ୟତ

ତିରିଶ ବର୍ଷ ପୂର୍ବେ ମୁଁ ୟୁକ୍ରେନ୍‌ର ଏକ ଚର୍ଚ୍ଚକୁ ଯାଇଥିଲି, ଯାହା ପରିସରରେ ମୋର ରୁଷୀୟ ପିତୃପୁରୁଷଙ୍କୁ ସମାଧି ଦିଆଯାଇଥିଲା। ସେହି ଚର୍ଚ୍ଚରେ ଜଣେ ବୃଦ୍ଧାଙ୍କ...

ଧଳାହାତୀର ଦେଶ

ନିରଞ୍ଜନ ସାହୁ ପିଲାବେଳେ ପଢ଼ିଥିଲୁ ଥାଇଲାଣ୍ଡକୁ କୁହାଯାଏ ଧଳାହାତୀର ଦେଶ। ତେଣୁ ଥାଇଲାଣ୍ଡ ଭ୍ରମଣ ବେଳେ ମୋର ଜଣେ ବନ୍ଧୁ ଆଶା କରିଥିଲେ ସେଇ ଧଳାହାତୀମାନଙ୍କୁ...

ଯୁଧିଷ୍ଠିର ମହାରଣା

ସୋସିଆଲ ମିଡ଼ିଆ ଦୈନନ୍ଦିନ ଜୀବନଶୈଳୀର ଏକ ଅଙ୍ଗ ପାଲଟିଗଲାଣି। ଏଥିରେ ଅନେକ ପ୍ରସଙ୍ଗ ଉପରେ ମେସେଜ ଆସିଥାଏ। ଗୁଜବ କିମ୍ବା ବାସ୍ତବତା ଯାଞ୍ଚ ନ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri