ଏସ୍‌ସିବିରେ ହୃତ୍‌ପିଣ୍ଡ ପ୍ରତିରୋପଣ ପାଇଁ ପ୍ରସ୍ତୁତି

କଟକ ଅଫିସ, ୨୭ା୧୨:ଏସ୍‌ସିବି ମେଡିକାଲରେ ହୃତ୍‌ପିଣ୍ଡ ପ୍ରତିରୋପଣ ପାଇଁ ସରକାରୀ ଭାବେ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ରୋଗୀଙ୍କ ପଞ୍ଜୀକରଣ ଲାଗି କାର୍ଡିଓଲୋଜି ବିଭାଗରେ ସ୍ବତନ୍ତ୍ର ଭାବେ ଏକ ହାର୍ଟ ଫେଲ୍ୟୁଅର କ୍ଲିନିକ ଆସନ୍ତା ୨୯ ତାରିଖଠାରୁ କାର୍ଯ୍ୟାରମ୍ଭ କରିବ ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ସତ୍ୟନାରାୟଣ ରାଉତରାୟ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ରାଜ୍ୟ ସ୍ବାସ୍ଥ୍ୟ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପକ୍ଷରୁ ଏ ସମ୍ପର୍କିତ ଏକ ଚିଠି ନିକଟରେ ଏସ୍‌ସିବି ମେଡିକାଲରେ ପହଞ୍ଚତ୍ଥିଲା। ହୃତପିଣ୍ଡ ପ୍ରତିରୋପଣ ନିମନ୍ତେ ରୋଗୀଙ୍କ ପଞ୍ଜୀକରଣ କରିବାକୁ ସ୍ବତନ୍ତ୍ର ଭାବେ ଏକ ହାର୍ଟ ଫେଲ୍ୟୁଅର କ୍ଲିନିକ ସପ୍ତାହରେ ଦୁଇଦିନ ଖୋଲାଯିବାକୁ ଚିଠିରେ ଉଲ୍ଲେଖ ଥିଲା। ତେବେ ଏନେଇ ବିଭିନ୍ନ ଦିଗକୁ ଦୃଷ୍ଟି ଦେଇ ସପ୍ତାହରେ ଗୋଟିଏ ଦିନ ଉକ୍ତ ସ୍ବତନ୍ତ୍ର କ୍ଲିନିକ ଖୋଲାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏସ୍‌ସିବିର ସିଟିଭିଏସ୍‌ ବିଭାଗରେ ହୃତ୍‌ପିଣ୍ଡ ପ୍ରତିରୋପଣ କରାଯିବ। ଏଥିନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ ଥିବା ସିଟିଭିଏସ୍‌ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା। ତଦନୁଯାୟୀ ରୋଗୀ ପଞ୍ଜୀକରଣ କାର୍ଯ୍ୟ ନିମନ୍ତେ କାର୍ଡିଓଲୋଜି ଆଉଟ୍‌ଡୋର ପରିସରରେ ହାର୍ଟ ଫେଲ୍ୟୁଅର କ୍ଲିନିକ ପାଇଁ ବ୍ୟବସ୍ଥା କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମ୍‌ଇଟି)ଙ୍କ ପକ୍ଷରୁ ଏସ୍‌ସିବି ମେଡିକାଲର ଡିନ୍‌ଙ୍କୁ ଅନୁରୋଧ କରାଯାଇଥିଲା। ସିଟିଭିଏସ୍‌ ବିଭାଗ ମୁଖ୍ୟ ପ୍ରଫେସର ଡା. ମନୋଜ ପଟ୍ଟନାୟକ କୁହନ୍ତି, ହାର୍ଟ ଫେଲ୍ୟୁଅର ରୋଗୀଙ୍କଠାରେ ପ୍ରତିରୋପଣ ପାଇଁ ସଦ୍ୟ ମୃତବ୍ୟକ୍ତିଙ୍କଠାରୁ ହୃତପିଣ୍ଡ ସଂଗ୍ରହ କରାଯାଇଥାଏ। ଉକ୍ତ ହୃତ୍‌ପିଣ୍ଡକୁ ଜୀବିତ ଲୋକଙ୍କଠାରେ ପ୍ରତିରୋପଣ ପାଇଁ ଏସ୍‌ସିବିର ସିଟିଭିଏସ୍‌ ବିଭାଗରେ ସମସ୍ତ ପ୍ରକାର ବ୍ୟବସ୍ଥା ଉପଲବ୍ଧ ରହିଛି। ଅନ୍ୟପକ୍ଷରେ କାର୍ଡିଓଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ରାଉତରାୟଙ୍କ କହିବାନୁସାରେ, ହୃତପିଣ୍ଡ ସମସ୍ୟା ଭୋଗୁଥିବା ରୋଗୀମାନେ ପ୍ରତ୍ୟହ ଏସ୍‌ସିବିକୁ ଆସୁଛନ୍ତି। ସେମାନେ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ ପୂର୍ବକ ଚିକିତ୍ସାରେ ରହି ସୁସ୍ଥ ହୋଇପାରୁଛନ୍ତି। ହେଲେ ଯେଉଁ ହୃଦ୍‌ରୋଗୀମାନେ ଔଷଧ ସେବନ ପରେ ବି କୌଣସି ପ୍ରକାର ଆରୋଗ୍ୟ ହୋଇପାରୁନାହାନ୍ତି, ସେମାନଙ୍କୁ ଆବଶ୍ୟକ ପରୀକ୍ଷାନିରୀକ୍ଷା କରାଯିବା ପରେ ହୃତ୍‌ପିଣ୍ଡ ପ୍ରତିରୋପଣ ନିମନ୍ତେ ପଞ୍ଜୀକୃତ କରାଯିବାକୁ ବ୍ୟବସ୍ଥା ହେଉଛି।

Share